ବାତ୍ୟା ସିତ୍ରାଙ୍ଗ ପ୍ରଭାଵ: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ଦିନ ଅଧିକ ଘନୀଭୂତ ହୋଇ ସକାଳେ ଗଭୀର ଅବପାତରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟା ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାନ କରିଛି। ପରେ ଏହା ମୋଡ଼ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୨୫ ତାରିଖରେ ବାଂଲାଦେଶର ତିନ୍‌କୋନା ଓ ସାନଦୀପ ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୪ରୁ ୨୫ ତାରିଖରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବି ବଢ଼ିବ। ତେଣୁ ୨୪ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏହାସହ ୨୫ ତାରିଖରେ ଉତ୍ତର ଉପକୂଳର ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରିଛି ପାଣିପାଗ ବିଭାଗ। ଗୋପାଳପୁର, ପାରାଦୀପ, ପୁରୀ ଓ ଧାମରା ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ ୩ ଦିନ ହେଲା ରାଜ୍ୟରେ ରାତି ତାପମାତ୍ରା କିଛି କମିଛି। ଆସନ୍ତା ୨ ଦିନ ଉପକୂଳରେ ଆଂଶିକ ମେଘୁଆ ପାଗ ରହିବ। ଆଭ୍ୟନ୍ତରରେ ପାଗ ଖରାଟିଆ ରହିବ। ୨୬ ତାରିଖରେ ଉପକୂଳର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ବାତ୍ୟା ଯୋଗୁଁ ଉପକୂଳ ସମେତ ସାରା ରାଜ୍ୟରେ ବର୍ଷା ହେବାର ସଙ୍କେତ ମିଳୁନାହିଁ। ଆଭ୍ୟନ୍ତରୀଣ ଉତ୍ତରରେ ୨୪ ତାରିଖ (ସୋମବାର)ରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିବ। ୨୯ ତାରିଖରେ ପୁଣି ୧ ଡିଗ୍ରି କମି ତା’ ପର ଦୁଇ ଦିନ ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ୨୫ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରି କମି ୨୭ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଆସନ୍ତା ୨୫ ତାରିଖରୁ ରାଜ୍ୟକୁ ଉତ୍ତର ଭାରତରୁ ଉତ୍ତର-ପଶ୍ଚିମ ପବନ ବହିବା ଯୋଗୁଁ ତାପମାତ୍ରା କମିବ।

Related Posts