ୟୁକ୍ରେନ-ଋଷ ଯୁଦ୍ଧ ପ୍ରଭାବ: ଷ୍ଟିଲ୍‌ ଟନ ପିଛା ୫୦୦୦ ଟଙ୍କାକୁ ବୃଦ୍ଧି, ଯୁଦ୍ଧ ଜାରି ରହିଲେ ଆସନ୍ତା ସପ୍ତାହରେ ମଧ୍ୟ ଦର ଆହୁରି ବଢିବାର ସମ୍ଭାବନା

ୟୁକ୍ରେନ-ଋଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଆଜିକୁ ୧୦ମ ଦିନରେ ପହଁଞ୍ଚିଛି | ଋଷ ସେନା ୟୁକ୍ରେନ ଉପରୁ ଲଗାତାର ଭାବେ ଆକ୍ରମଣ କରିଚାଲିଥିବା ବେଳେ, ଯାହାର କଡା ଜବାବ ଦେଉଛି ୟୁକ୍ରେନ ସେନା | ଫଳରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଛି | ଆଜି ବି ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରୁଥିବା ବେଳେ, ବିଭିନ୍ନ ସହରକୁ ଟାର୍ଗେଟ୍ କରି ରାକେଟ ମାଡ କରୁଛନ୍ତି | ଏହାରି ମଧ୍ୟରେ ୟୁକ୍ରେନ୍ ରାଜଧାନୀ କିଭରେ ବହୁ ଭିତରକୁ ଋଷ ସେନା ପ୍ରବେଶ କରି ସାରିଲାଣି । ଋଷ ସେନା ପକ୍ଷରୁ ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରାଯାଇଛି । ସେପଟେ ମାରିୟୁପୋଲ ସହର କବ୍ଜା କରିବା ପାଇଁ ଜୋଦାର ଉଦ୍ୟମ ଚଳାଇଛି ଋଷ । ମାରିୟୁପୋଲ ସହରକୁ ଘେରି ଗଲେଣି ଋଷ ସେନା । ସହରର ବିଭିନ୍ନ ସ୍ଥାନରେ ରୁଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି ।

ତେବେ ଏହିସବୁ ଆକ୍ରମଣ ମଧ୍ୟରେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିଛି |ଅନେକ ସାମଗ୍ରୀ ର ଦର ଆକାଶ ଛୁଆ ହେବାକୁ ବସିଥିବା ବେଳେ, ସଂଘର୍ଷର ଛାୟା ଷ୍ଟିଲ(ଇସ୍ପାତ) ଜଗତ ଉପରେ ପଡିଛି । ଯେଉଁ କାରଣରୁ ଷ୍ଟିଲ ମୂଲ୍ୟ ଟନ ପିଛା ୫୦୦୦ ଟଙ୍କା ବୃଦ୍ଧି ପାଇଛି । ଘରୋଇ ଇସ୍ପାତ ଉତ୍ପାଦନକାରୀମାନେ ହଟ୍‌ ରୋଲ୍ଡ କୋଏଲ(HRC) ଏବଂ ଟିଏମଟି(TMT) ବାର ମୂଲ୍ୟରେ ୫ ହଜାର ଟଙ୍କା ବୃଦ୍ଧି ଘଟାଇଛନ୍ତି ।

ଶିଳ୍ପ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ଯୋଗୁଁ ଯୋଗାଣ ଚେନ୍ ବ୍ୟାହତ ହୋଇଥିବାରୁ ଘରୋଇ କମ୍ପାନୀମାନେ ଇସ୍ପାତ ମୂଲ୍ୟ ବଢାଇଛନ୍ତି । ଗତ କିଛି ଦିନ ମୂଲ୍ୟରେ ଷ୍ଟିଲ ଦର ବଢିଥିବାବେଳେ ଯୁଦ୍ଧ ଜାରି ରହିଲେ ଆସନ୍ତା ସପ୍ତାହରେ ମଧ୍ୟ ଦର ଆହୁରି ବଢିବାର ସମ୍ଭାବନା ରହିଛି ।

ଦର ବୃଦ୍ଧି ପରେ ଏବେ ଭାରତୀୟ ବଜାରରେ HRC ମୂଲ୍ୟ ପାଖାପଖି ୬୬ ହଜାର ହେବ । ସେହିପରି ଗ୍ରାହକ ଟିଏମଟି ବାର ଟନ ପିଛା ୬୫ ହଜାର ଟଙ୍କାରେ କିଣିବେ । ଷ୍ଟିଲ୍‌ ଉଦ୍ୟୋଗର ଜଣେ ଅଧିକାରୀ କହିଛନ୍ତି, ୟୁକ୍ରେନ ସଙ୍କଟ ଯୋଗୁଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେଉଛି । ଏହାଦ୍ବାରା ମୂଲ୍ୟ ବୃଦ୍ଧି ପାଉଛି । ସପ୍ତାହ ଆଗରୁ ବଜାରରେ ଷ୍ଟିଲ ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବଢିଛି । ଯେଉଁ କାରଣରୁ କୋକିଂ କୋଲ ଟନ ପିଛା ୫୦୦ ଡଲାରରେ କାରବାର କରୁଛି । କହିରଖୁଛୁ କି, କୋକିଂ କୋଲ କଞ୍ଚାମାଲ ଉତ୍ପାଦନ କରୁଥିବା ପ୍ରମୁଖ ଇସ୍ପାତ ଅଟେ ଏବଂ ଭାରତ ଏହାକୁ ବାହାର ରାଷ୍ଟ୍ରରୁ ଆମଦାନୀ କରିଥାଏ । ମୁଖ୍ୟତଃ ଅଷ୍ଟ୍ରେଲିଆରୁ ଭାରତ କୋକିଂ କୋଲ ଆମଦାନୀ କରିଥାଏ । ଏତଦ୍‌ବ୍ୟତୀତ ଦକ୍ଷିଣ ଆଫ୍ରିକା, କାନାଡା ଏବଂ ଆମେରିକା ଭଳି ରାଷ୍ଟ୍ର ମଧ୍ୟ ଭାରତକୁ ରପ୍ତାନୀ କରିଥାନ୍ତି ।ଷ୍ଟିଲ ସମେତ ଘରୋଇ କ୍ଷେତ୍ରରେ ପ୍ରଭାବ ସମ୍ପର୍କରେ ପଚରାଯିବାରୁ ଟାଟା ଷ୍ଟିଲ ସିଇଓ ଏବଂ ଏମଡି ଟି ଭି ନରେନ୍ଦ୍ରନ କହିଛନ୍ତି, ଉଭୟ ଋଷିଆ ଓ ୟୁକ୍ରେନ କୋକିଂ କୋଲ ଏବଂ ପ୍ରାକୃତିକ ଗ୍ୟାସ ସହିତ କଞ୍ଚାମାଲର ଯୋଗାଣକର୍ତ୍ତା ହେବା ସହ ଷ୍ଟିଲ ନିର୍ମାତା ଏବଂ ରପ୍ତାନୀକାରୀ ଅଟନ୍ତି । ତେଣୁ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଚାହିଦା ଯୋଗାଣ ଗତିଶୀଳତା, ମୂଲ୍ୟ ଏବଂ ସମଗ୍ର ବିଶ୍ବ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି |

Related Posts