ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରୁ ସୁରକ୍ଷିତ ଭାବେ ଫେରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ | ଭାରତ ସରକାର ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି | ତେବେ ଏଠି ଛାତ୍ରଛାତ୍ରୀଙ୍କ ଜୀବନ ସିନା ବଂଚି ଯାଇଛି କିନ୍ତୁ ଅଧାରେ ରହି ଯାଇଛି ପାଠପଢା | ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି |

ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ । ପାଠପଢା ଅଧାରୁ ଛାଡି ସ୍ୱଦେଶ ଫେରି ଆସିଥିବା ପିଲାମାନେ ଶିକ୍ଷା ସମାପ୍ତ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।

ୟୁକ୍ରେନରୁ ଫେରିଥିବା ପଞ୍ଜାବର ମେଡିକାଲ ଛାତ୍ରଛାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କ ପାଇଁ ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜରେ ପାଠପଢା ସୁବିଧା କରାଯାଉ । ପଞ୍ଜାବ ସହିତ ଓଡିଶା, ପଞ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତେଲେଙ୍ଗାନାର ପିଲାମାନେ ମଧ୍ୟ ଅନୁରୂପ ଦାବି କରିଛନ୍ତି ।

ମାର୍ଚ୍ଚ ୪ରେ ଜାତୀୟ ମେଡିକାଲ ଆୟୋଗ(ଏନଏମସି) କହିଥିଲେ ଯେ, ୟୁକ୍ର୍ରେନର ଡାକ୍ତରୀ ପଢା ଶେଷ କରିଥିବା ପିଲାମାନେ ଭାରତରେ ସେମାନଙ୍କର ଇଣ୍ଟର୍ଣ୍ଣସିପ୍ କରିପାରିବେ । ତେବେ ଯେଉଁପିଲାମାନଙ୍କ ପାଠପଢା ଆରମ୍ଭ ହୋଇଛି କିମ୍ବା ଅଧାରେ ରହିଛି ସେମାନଙ୍କ ପାଠପଢା ଶେଷ ନେଇ କୌଣସି ସୁବିଧା କରାଯାଇ ନାହିଁ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ଭାରତ ସରକାର ସେଠାରେ ଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଭାରତୀୟଙ୍କ ମଧ୍ୟରେ ଅଧିକାାଂଶ ଡାକ୍ତରୀ ଛାତ୍ରଛାତ୍ରୀ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟିବା ନେଇ କୌଣସି ଆଶା ଦେଖାଯାଉନଥିବାବେଳେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଅନ୍ଧକାରରେ ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଛାତ୍ର ଛାତ୍ରୀ |

Related Posts