ମୟୂରଭଞ୍ଜ ତେନ୍ତୁଳିବାଡ଼ି ଗାଁରେ ଅଭାବନୀୟ ଦୃଶ୍ୟ: ବାପ ଘରକୁ ଯିବା ପାଇଁ ସ୍ବାମୀ ମନା କରିବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ

ଉଦଳା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ । ବାପ ଘରକୁ ନେବା ପାଇଁ ସ୍ବାମୀ ମନା କରିବାରୁ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ମହିଳାଜଣକ ହେଲେ ତେନ୍ତୁଳିବାଡ଼ି ଗ୍ରାମର ଗ୍ରାମର ମୁନା ସିଂଙ୍କ ପତ୍ନୀ ଚନ୍ଦ୍ରମଣି ସିଂ ।

ସୂଚନା ଅନୁସାରେ, ପ୍ରାୟ ଦେଢ ବର୍ଷ ପୂର୍ବେ ମୁନା ସିଂ ଓ ଚନ୍ଦ୍ରମଣି ସିଂଙ୍କ ବିବାହ ହୋଇଥିଲା। ଉଭୟଙ୍କ ସମ୍ପର୍କ ସ୍ୱାଭାବିକ ଥିବା ବେଳେ ପିଲା ଛୁଆ କେହି ନ ଥିଲେ। ବିଶ୍ୱକର୍ମା ପୂଜା ଅବସରରେ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କ ନିକଟରେ ଜିଦ୍‌ ଧରିଥିଲେ ଚନ୍ଦ୍ରମଣି । ମାତ୍ର ଟଙ୍କା ନ ଥିବାରୁ ପତ୍ନୀଙ୍କ କଥାରେ ଅମଙ୍ଗ ହୋଇଥିଲେ ମୁନା ସିଂ । ଏହାପରେ ସେ ନିଜ କାମରେ ଘରୁ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ଘରେ ଏକୁଟିଆ ଥିବା ସୁଯୋଗରେ କବାଟ ଦେଇ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇଦେଇଥିଲେ ଚନ୍ଦ୍ରମଣି ।

କିଛି ସମୟ ପରେ ଘରୁ ଧୂଆଁ ବାହାରୁଥିବା ଦେଖିଥିଲେ ପଡ଼ୋଶୀ। ଏଥିସହ ଚନ୍ଦ୍ରମଣିଙ୍କ ଚିତ୍କାର ଶୁଣି କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି । ଉଦଳାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Related Posts