ନିଜ ଘର ଉପରେ ବିଏମସି ନୋଟିସକୁ ନେଇ ଭଡ଼କିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ; କହିଲେ ମାତୋଶ୍ରୀ ଲାଗି ପ୍ରସ୍ତୁତ ହେଉଛି ଇଡି

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ନିଜ ଘର ଉପରେ ବିଏମସି ନୋଟିସକୁ ନେଇ ଭଡ଼କିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ମୁମ୍ବାଇ ଜୁହୁସ୍ଥିତ ଏହି ବଙ୍ଗଳାର ପରିସର ମାପିବା ପାଇଁ ବିଏମସି ନୋଟିସ୍ ଜାରି କରିଛନ୍ତି। ଏଥିରେ ନାରାୟଣ ରାଣେ ଟ୍ୱିଟରରେ ‘ମାତୋଶ୍ରୀ’ର ୪ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ନୋଟିସ୍ ପ୍ରସ୍ତୁତ ହେଉଥିବା ପୋଷ୍ଟ କରିଛନ୍ତି। ଯାହା ଏବେ ରାଜଧାନୀ ମୁମ୍ବାଇରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇ ପଶ୍ଚିମ ଉପନଗରୀୟ ଅଞ୍ଚଳର ପଶ୍ଚିମ ସିଭିକ୍ ୱାର୍ଡରେ ଥିବା ‘ଆଦିସ’ ନାମକ ଏକ ବଙ୍ଗଳାର ଅବୈଧ ନିର୍ମାଣ ସମ୍ପର୍କିତ ଯାଞ୍ଚ ପାଇଁ ବିଏମସିଙ୍କ ସହାୟକ ଯନ୍ତ୍ରୀ (ଭବନ ଓ କରାଖାନା) ଗତ ଗୁରୁବାର ନୋଟିସ୍ ଜାରି କରିଥିଲେ। ନୋଟିସ୍ରେ କାହାର ନାମ ଉଲ୍ଲେଖ ନଥିବା ବେଳେ ଫେବୃଆରୀ ୧୮ ଅଥବା ଏହା ପରବର୍ତ୍ତି ଯେ କୌଣସି ଦିନ ବିଏମସି ଅଧିକାରୀ ଓ କର୍ମଚାରୀ ଜୁହୁ ସିଟିଏସ୍ ନମ୍ବର ୯୯୭ ଓ ୯୯୭ (ଏ) କୁ ପହଞ୍ଚି ପାରନ୍ତି ବୋଲି କୁହାଯାଇଥିଲା। ତେବେ ବିଏମସି ନୋଟିସ୍ ପରେ ଅନ୍ତେବାସୀମାନେ ବଙ୍ଗଳା ଖାଲି କରିଦେଇଥିବା ବେଳେ ବିଏମସି ଅଧିକାରୀ ଓ କର୍ମଚାରୀ ଘରେ କେହି ନଥିବାରୁ ଫେରି ଯାଇଛନ୍ତି।

ବାସ୍ତବରେ ଆଦିସ ନାମକ ଏହି ବଙ୍ଗଳାର ମାଲିକ ବିଜେପି ନେତା ନାରାୟଣ ରାଣେ। ନୋଟିସ ପରେ ରାଣେ ପ୍ରତିକ୍ରିୟାଶୀଳ ହୋଇପଡିଥିବା ବେଳେ ତାଙ୍କ ଟ୍ୱିଟରରେ ଏକ ଟ୍ୱିଟ୍ ପୋଷ୍ଟ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାରାୟଣ ରାଣେ ଏଥିରେ ତାଙ୍କ ବଙ୍ଗଳାକୁ ମିଳିଥିବା ବିଏମସିଙ୍କ ନୋଟିସର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଏମସିଙ୍କ ନୋଟିସର ଜବାବରେ ଖୁବ୍ ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରୋଇ ଆବାସ ‘ମାତୋଶ୍ରୀ’ର ୪ ଜଣ ସଦସ୍ୟଙ୍କ ବିରୋଧରେ ଇଡିରେ ନୋଟିସ୍ ପ୍ରସ୍ତୁତ ହେଉଥିବାର ଧମକ ଦେଇଛନ୍ତି। ତେବେ କେନ୍ଦ୍ରୀୟ ଏଜେନ୍ସୀଙ୍କ ତ୍ରୁଟି ପୂର୍ଣ୍ଣ ଉପଯୋଗ ନେଇ ମହାରାଷ୍ଟ୍ରରେ ଶିବସେନା ଓ ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟର ସରକାରମାନେ କେନ୍ଦ୍ର ସରକାରଙ୍କୁ ପ୍ରାୟତଃ ଟାର୍ଗେଟ କରିଆସୁଛନ୍ତି। ହେଲେ ରାଣେଙ୍କ ଟ୍ୱିଟ୍ ପରେ ମାତୋଶ୍ରୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

Related Posts