ଟ୍ରେନ ଦୁର୍ଘଟଣାର ହାତୀ ମୃତ୍ୟୁ ରୋକିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୂଚନା: ହାତୀଙ୍କ ଯାତାୟାତ ପାଇଁ ନିର୍ମାଣ ହେବ ପୋଲ

ଭୁବନେଶ୍ବର : ପ୍ରତିବର୍ଷ ଟ୍ରେନ ଦୁର୍ଘଟଣାର ଶହ ଶହ ହାତୀ ମୃତ୍ୟୁ ବରଣ କରୁଛନ୍ତି । ତେବେ ବଢ଼ୁଥିବା ହାତୀ ମୃତ୍ୟୁ ସଂଖ୍ୟା କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ଘଟଣାକୁ ରୋକିବା ନେଇ ଏକ ବଡ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ।

ଯେଉଁ ଯେଉଁ ସ୍ଥାନରେ ବନ୍ୟ ପ୍ରାଣୀ ଯାତାୟାତ ରହୁଛି ସେହି ସ୍ଥାନ ମାନଙ୍କରେ ରେଲୱେ ଲାଇନକୁ ଉଚ୍ଚ କରାଯାଇ ତଳେ ପୋଲ ଭଳିଆ ନିର୍ମାଣ କରାଯିବ ଯେଉଁଥିରେ ଏକ ଥରରେ ୮ ଟି ହାତୀ ମଧ୍ୟ ଯାଇ ପାରିବେ। ଏନେଇ ପରିବେଶ ଓ ଜଙ୍ଗଲ ବିଭାଗ ସହିତ ଆଲୋଚନା ସରିଯାଇଛି ଖୁବ୍ ଶୀଘ୍ର ଏକ ଏମଓୟୁ ହେଇ ସାରା ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରଠାରେ ଆୟୋଜିତ ୬୭ତମ ରେଳ ପୁରସ୍କାର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବା ଅବସରରେ ବୈଷ୍ଣବ ଏକଥା କହିଛନ୍ତି । ସେ ଏହି ଅବସରରେ ଶ୍ରେଷ୍ଠ ରେଳ କର୍ମଚାରୀ ଓ ଜୋନକୁ ପୁରସ୍କାର ଓ ସିଲଡ ପ୍ରଦାନ କରିଥିଲେ । ମୋଟ ୧୫୫ ଜଣ ରେଲ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପୂର୍ବତଟ ରେଳବାଇର ୫ ଜଣ କର୍ମଚାରୀ ଅନ୍ତର୍ଭୁକ୍ତ । ସେହିପରି ଜୋନାଲ ରେଲଓ୍ବେ, ଉତ୍ପାଦନ କେନ୍ଦ୍ର ଓ ପିଏସୟୁଗୁଡ଼ିକୁ ୨୧ଟି ଦକ୍ଷତା ସିଲଡ ପ୍ରଦାନ କରାଯାଇଥିଲା ।

ଏହି ସମାରୋହ ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ, ରେଳବୋର୍ଡ ଅଧ୍ୟକ୍ଷ, ସିଇଓ ଓ ବୋର୍ଡ ସଦସ୍ୟମାନେ ଯୋଗ ଦେଇଥିଲେ ।

Related Posts