
କରଞ୍ଜିଆ : ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବେଣିସାଗର ଛକରେ ୨ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି । ଫଳରେ ଏଥିରେ ଜଣେ ଗୁରୁତର ଆହତ ହେବା ସହ ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ।
କୌଣସି କାରଣରୁ ମୁହାଁମୁହିଁ ହେବା ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଖବର ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ବେଣିସାଗର ପାଖରେ ଥିବା ଏକ ଢ଼ାବାରେ ଖାଇବା ସମୟରେ ଦୁଇ ଗୋଷ୍ଠୀର ଦୁଇ ଅଟୋ ଡ୍ରାଇଭର କୌଣସି କାରଣରୁ ମୁହାଁ ମୁହିଁ ହେବା ସହିତ ମାରପିଟ ହୋଇଥିଲେ। ମାରପିଟ ହେଲା ପରେ ସେଠାରେ ଥିବା ଲୋକମାନେ ସମାଧାନ କରିଥିଲେ କିନ୍ତୁ ପୁଣି ସନ୍ଧ୍ୟା ସମୟରେ ବେଣିସାଗର ଛକ ପାଖରେ ଉତ୍ତେଜନା ଦେଖା ଦେଇଥିଲା। ଛକ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଜଣକୁ ବାନ୍ଧି ମାଡ଼ ହୋଇଥିବା ଅଭିଯୋଗ ହୋଇଥିବା ବେଳେ, ଦୁଇ ଗୋଷ୍ଠୀ ଏଥିରେ ମୁହାଁ ମୁହିଁ ହେଇଥିଲେ।
ଝାଡ଼ଖଣ୍ଡ ରାଜ୍ୟର କୁଳିପୋଷି ଗାଁର ୧୦୦ ରୁ ଅଧିକ ଯୁବକ ଆସିଥିବା ବେଳେ ଓଡ଼ିଶାର ଭଞ୍ଜବେଡା ଗାଁର କିଛି ଲୋକମାନେ ମଧ୍ୟ ଉତ୍ତେଜନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ରରୁଆଁ ପୋଲିସ ଓ ଝାଡ଼ଖଣ୍ଡର ମଝିଗାଁ ପୋଲିସ ପହଞ୍ଚି ଉଭୟ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ଜଣେ ଆକ୍ରମଣର ଶିକାର ହୋଇ ଗୁରୁତର ଅଛନ୍ତି।
ଗୁରୁତର ବ୍ୟକ୍ତିଙ୍କ ପରିଚୟ ଏମ.ଡି. ମୁଝାଇତି। ସେ ଝାଡ଼ଖଣ୍ଡର କୁଳିପୋଷି ଗାଁର ବାସିନ୍ଦା। ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ରରୁଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଓଡ଼ିଶାର ୩ ଜଣକୁ ରରୁଆଁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଚାପା ଉତେଜନା ଲାଗିରହିଛି । ବହୁ ମାତ୍ରାରେ ପୋଲିସ ଘଟଣସ୍ଥଳରେ ଉପସ୍ଥିତ ରହିଛନ୍ତି ।