ରାଜଧାନୀରେ ଅଘଟଣ ; ପ୍ରେମ ପାଇଁ ଜୀବନ ହାରିଲେ ମହିଳା ଇଂଜିନିୟର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକୁ ଦିନ ପ୍ରେମ ଜନିତ ଆତ୍ମହତ୍ୟା ହାର ବଢୁଥିବା ବେଳେ ପ୍ରେମ ପାଇଁ ପୁଣି ଏକ ଜୀବନ ଯାଇଛି । ରାଜଧାନୀରେ ଜଣେ ମହିଳା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ସେପଟେ ମୃତ ଯୁବତୀଙ୍କ ପରିଚୟ ମଧ୍ୟ ମିଳିଛି, ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ଏବଂ ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଶ୍ୱେତା ଉତ୍କଳ କୁମାରୀ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି। ସେ ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଶ୍ୱେତା ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ତିନି ଜଣ ସାଙ୍ଗଙ୍କ ସହ ରହୁଥିଲେ । ଜନ୍ମାଷ୍ଟମୀ ଥିବାରୁ ସାଙ୍ଗମାନେ ଛୁଟିରେ ଘରକୁ ଯାଇଥିବା ବେଳେ ଶ୍ୱେତା ଏକା ଥିଲେ । ଗତକାଲି ତାଙ୍କ ପରିବାର ଲୋକ ଫୋନ୍‌ କରିବାରୁ ଶ୍ୱେତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଆସିଥିଲା। ଯୋଗାଯୋଗ ସମ୍ଭବ ନହେବାରୁ ଘର ଲୋକ ଅନ୍ୟ ସ୍ଥାନରେ ଖେଜୋଖୋଜି କରିଥିଲେ। ହେଲେ କୌଣସି ପତ୍ତା ନ ମିଳିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ମୋବାଇଲ ଟ୍ରାକ୍‌ କରିବା ପରେ ଜଣାପଡିଥିଲା ଫୋନଟି ଆପାର୍ଟମେଣ୍ଟ ଭିତରେ ପୂର୍ବରୁ ସୁଇଚ୍‌ ଅଫ ରହିଥିଲା । ସେ ରହୁଥିବା ରୁମର କବାଟ ତାଡିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଶ୍ୱେତାଙ୍କ ମୃତଦେହ ମିଳିଥିଲା । ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଅନ୍ୟପଟେ ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଶ୍ୱେତାଙ୍କ ଆପାର୍ଟମେଣ୍ଟ ଫ୍ଲାଟ୍‌ରୁ ଏକ ଡାଏରୀ ଜବତ କରିଛି । ସେଥିରେ ଜଣେ ଯୁବକଙ୍କ ନାଁ ରହିଥିବାରୁ ପୁଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିଛି । ଏକ ଅପମୃତ୍ୟୁ ମମଲା ରୁଜୁ କରି କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଶ୍ୱେତା ପ୍ରେମ ପାଇଁ ଜୀବନ ହାରିଥିବା ନେଇ ପୁଲିସ ସନ୍ଦେହ କରୁଛି।

Related Posts