ଓଡିଶା ପୁଲିସର ବିଭିନ୍ନ ବର୍ଗରେ ଖାଲି ପଡିଛି ୨୮୦୭୪ଟି ପଦବୀ; ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ମୋଟ ୧୩୯୩୮୪ଟି ମଞ୍ଜୁରୀପ୍ରାପ୍ତ ପୁଲିସ ପଦବୀ ମଧ୍ୟରୁ ୨୮୦୭୪ଟି ପୁଲିସ ପଦବି ଖାଲି ପଡ଼ିଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି ଯେ, ରାଜ୍ୟ ପୁଲିସର ମୋଟ ଚାରିଟି ବର୍ଗର ମଞ୍ଜୁରିପ୍ରାପ୍ତ ୧୩୯୩୮୪ ରୁ ୨୮୦୭୪ଟି ପଦବି ଖାଲି ପଡ଼ିଛି। ‘କ’ ବର୍ଗରେ ୧୦୩୯ ମଞ୍ଜୁରିପ୍ରାପ୍ତ ପଦବି ଭିତରୁ ୨୯୭ଟି, ‘ଖ’ ବର୍ଗରେ ୬୪୫୪ ମଧ୍ୟରୁ ୨୧୨୦ଟି, ‘ଗ’ ବର୍ଗରେ ୬୨୧୯୯ଟି ପଦବୀ ଭିତରୁ ୧୧୬୨୦ଟି ଓ ‘ଘ’ ବର୍ଗରେ ୬୯୬୯୨ଟି ପଦବୀ ମଧ୍ୟରୁ ୧୪୦୩୭ଟି ପୁଲିସ ପଦବି ଖାଲି ରହିଛି।ଏହାଛଡ଼ା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ‌କେତେଜଣ ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ଡେପୁଟେସନରେ ଯାଇଛନ୍ତି, ସେନେଇ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ହାସଲ କରାଯାଉଛି। ଆବଶ୍ୟକତାକୁ ଦେଖି ନୂତନ ପୁଲିସ ପଦବୀ ସୃଷ୍ଟି କରାଯାଉଛି ଏହାସହିତ ଖାଲି ପଡିଥିବା ପୁଲିସ ପଦବି ଗୁଡିକୁ ନୂତନ ଚୟନ, ପଦନ୍ନୋତି ଓ ବଦଳି ଭିତ୍ତିରେ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହରେ ପ୍ରଶ୍ନ କରିଥିଲେ କି ରାଜ୍ୟ ପୁଲିସରେ ବିଭିନ୍ନ ବର୍ଗର ମଞ୍ଜୁରିପ୍ରାପ୍ତ ପଦ ସଂଖ୍ୟା କେତେ ଓ ସେଥିରୁ କେତେ ପଦ ଖାଲିପଡ଼ିଛି? କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ‌କେତେଜଣ ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ଡେପୁଟେସନରେ ଯାଇଛନ୍ତି? କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ସହ ତାଳ ଦେଇ ଅପରାଧ ସଂଖ୍ୟା ବଢ଼ୁଥିବାରୁ ଲୋକସଂଖ୍ୟା ଅନୁପାତରେ ଆବଶ୍ୟକ ପୁଲିସ କର୍ମଚାରୀ ନିଯୁକ୍ତି ସକାଶେ ସରକାର କେବେ ସୁଦ୍ଧା ପଦକ୍ଷେପ ନେବେ ଓ ଖାଲିପଡ଼ିଥିବା ପୁଲିସ ପଦ କେବେ ପୂରଣ ହେବ?

Related Posts