ସଂସଦରେ ଉଭୟ ଶାସକ ଓ ବିରୋଧୀଙ୍କ ହୋହାଲ୍ଲା; ଉଭୟ ସଦନର କାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ସ୍ଥଗିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ମୌସୁମୀ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହୋ ହାଲ୍ଲା କାରଣରୁ ଉଭୟ ସଦନର କାର୍ଯ୍ୟଦିବସକୁ ସ୍ଥଗିତ ରଖାଯାଇଛି । ସୋମବାର ପର୍ଯ୍ୟନ୍ତ ଉଭୟ ସଦନର କାର୍ଯ୍ୟ ସ୍ଥଗିତ ରଖାଯାଇଛି ।ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ବିରୋଧୀଦଳମାନେ ଦରବୃଦ୍ଧି ଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ।ଏହାକୁ ନେଇ ଉଭୟ ସଦନରେ ବିରୋଧୀମାନେ ହୋ ହାଲ୍ଲା କରିବାରୁ ଉଭୟ ସଦନରୁ ୨୭ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହାପରେ କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ପ୍ରସଙ୍ଗକୁ ନେଇ ଶାସକଦଳର ସାଂସଦମାନେ କଂଗ୍ରେସକୁ ଘେରିବା ସହ ଗୃହ ମଧ୍ୟରେ ହୋ ହାଲ୍ଲା ଆରମ୍ଭ କରିଦେଇଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଧିର ରଂଜନ ଚୌଧୁରୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ହେଲେ ଅଧିର ରଂଜନ ଚୌଧୁରୀ କହିଥିଲେ କି, ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବେ କିନ୍ତୁ ବିଜେପି ପାଖରେ କ୍ଷମା ମାଗିବେ ନାହିଁ ।

ଏସବୁ ଭିତରେ ଆଜିର କାର୍ଯ୍ୟ ଦିବସରେ ଅଧିର ରଂଜନ ଚୌଧୁରୀ କହିଥିଲେ କି ସେ କ୍ଷମା ପ୍ରାର୍ଥନା ମାଗିବାକୁ ରାଷ୍ଟ୍ରପତିଙ୍କୁ ସମୟ ମାଗିଥିଲେ ବି ରାଷ୍ଟ୍ରପତି ଏନେଇ ତାଙ୍କୁ ସମୟ ଦେଇ ନାହାଁନ୍ତି । ଏସବୁ ଭିତରେ ଶାସକ ଦଳର ସାଂସଦମାନେ ତାଙ୍କ ଜିଦରେ ଅଡି ବସିଥିଲେ । ଏନେଇ ଶାସକ ଦଳର ସାଂସଦମାନେ ହୋ ହାଲ୍ଲା କରିବାରୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ପ୍ରଥମେ ଗୃହକୁ ଦିନ ୧୨ ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ । ଏହାପରେ ପୁଣି ସମାନ ସମସ୍ୟା ଦେଖା ଦେବାରୁ ସଂସଦର ଉଭୟ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।

Related Posts