୨୦ ଦିନରେ ପହଁଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ | ରୁଷ ସେନା ଲଗାତାର ଭାବେ ୟୁକ୍ରେନ୍ ଉପରକୁ ଘନ ଘନ ଆକ୍ରମଣ ଜାରି ରଖିଥିବା ବେଳେ, ଫଳରେ ଉଭୟ ଦେଶର ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବଡ଼ ଘୋଷଣା କରିଛନ୍ତି । ଋଷ୍ ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ବୋଲି ଘୋଷଣା କରିଛନ୍ତି ବାଇଡେନ୍ । ଏହାସହ ସେ ୟୁକ୍ରେନକୁ ମାନବୀୟ ସହାୟତା ଓ ସେଠାରେ ଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ବାଇଡେନ୍ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଜୋ ବାଇଡେନ କହିଛନ୍ତି, ‘ୟୁକ୍ରେନ ନିଜକୁ ରକ୍ଷା କରିବା ପାଇଁ ଆମେ ଅସ୍ତ୍ରଶସ୍ତ୍ର ଯୋଗାଇବୁ। ଆମେ ୟୁକ୍ରେନବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ଟଙ୍କା, ଖାଦ୍ୟ ଏବଂ ସହାୟତା ପଠାଇବୁ। ଏଥିସହ ଆମେ ୟୁକ୍ରେନ ଶରଣାର୍ଥୀଙ୍କୁ ମଧ୍ୟ ଖୋଲା ହୃଦୟରେ ସ୍ୱାଗତ କରିବୁ।’
ଫେବ୍ରୁଆରୀ ୨୪ରୁ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତକାଲି ୟୁକ୍ରେନ୍ର ଡୋନେସ୍କ ସହରର ଜନବସତି ଅଞ୍ଚଳରେ ମିଜାଇଲ ମାଡ଼ କରିଛି ରୁଷ। ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଥିବା ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେଣେ ଡୋନବାସରେ ଦୁଇ ପକ୍ଷଙ୍କ ଲଢେଇ ବେଳେ ୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।





