ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକା : ୨୦ତମ ସ୍ଥାନରେ ସୋଆ, ୨୧ତମ ସ୍ଥାନରେ କିଟ୍

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ୨୦୨୧ ରାଙ୍କିଙ୍ଗ ତାଲିକା । ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ (ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମଓ୍ବାର୍କ) ରାଙ୍କିଙ୍ଗ୍ ୨୦୨୧ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ୨୦ ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୧ ତମ ସ୍ଥାନରେ ରହିଛନ୍ତି । ଗତବର୍ଷର ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ ତାଲିକାରେ ସୋଆ ୨୦ ତମ ସ୍ଥାନରେ ଥିଲା । ତେବେ କିଟ୍ ବିଶ୍ୱବିଦ୍ୟାଳୟର ୨୪ ତମ ସ୍ଥାନରେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୯୬ତମ ସ୍ଥାନରେ ଥିଲା । ଏହି ତାଲିକାରେ ସୋଆ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ଏବଂ କିଟ୍ ନିଜ ସ୍ଥାନକୁ ଉନ୍ନୀତ କରିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟ ନିଜର ସ୍ଥାନକୁ ଉନ୍ନୀତ କରିପାରିଛି । ସେହିପରି ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି । 

ତେବେ ବିଡମ୍ବନାର ବିଷୟ ହେଉଛି ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ନାହିଁ । ଏନଆଇଆରଏଫ ପକ୍ଷରୁ ଜାରି ରାଙ୍କିଙ୍ଗ୍ ତାଲିକାରେ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ ୨୦, କିଟ୍ ୨୧ ନମ୍ବର ସ୍ଥାନରେ ରହିଛି। ଏବଂ ଉତ୍କଳ ୟୁନିଭରସିଟି ପୂର୍ବରୁ ବିଶ୍ୱବିଦ୍ୟାଳୟ ବର୍ଗରେ ୯୬ ନମ୍ବର ସ୍ଥାନରେ ରହିଥିବା ବେଳେ ଏବେ ୮୭ ନମ୍ବର ସ୍ଥାନରେ ରହିଛି । ସେହିପରି ମେଡିକାଲ କଲେଜ ବର୍ଗରେ ସୋଆ ମେଡିକାଲ ୟୁନିଭରସିଟି ୨୧ ନମ୍ବର ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ଏମ୍ସ ୩୧ ନମ୍ବର ସ୍ଥାନରେ ଏବଂ କିଟ୍ ୩୬, ଏସସିବି ୩୯ ନମ୍ବର ସ୍ଥାନରେ ରହିଛି । 

ଇଞ୍ଜିନିୟରିଂ ୟୁନିଭରସିଟି ବର୍ଗରେ ଏନଆଇଟି ରାଉରକେଲା ୨୦, ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ ନମ୍ବର ସ୍ଥାନରେ ରହିଛି । 

ଅପରପକ୍ଷରେ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ କିଟ ୩୧ ନମ୍ବରରେ ରହିଥିବାବେଳେ ଏକ୍ସଆଇଏମବି ୩୪ ତମ ସ୍ଥାନ, ଆଇଆଇଏମ ସମ୍ବଲପୁର ୬୧ତମ ଏବଂ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଭୁବନେଶ୍ବର ୬୧ ତମ ସ୍ଥାନରେ ରହିଛି ।

ସେହିଭଳି, ଶ୍ରେଷ୍ଠ ଆଇନ ବିଦ୍ୟାଳୟ ତାଲିକାରେ କିଟ୍ ଲ’ ସ୍କୁଲ ଏଥର ଦଶମ ସ୍ଥାନରେ ରହିଛି । 

Related Posts