ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି : ବନ୍ଦ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ପାଠପଢ଼ାଇ ଅଣ୍ଡା ବାଣ୍ଟିଲେ, ଧମକ ବି ଦେଲେ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶାରେ ପୁଣି ଦାଦାଗିରି ଦେଖାଇଲା ଆନ୍ଧ୍ର ପ୍ରଦେଶ । ଓଡ଼ିଶା ସୀମାରେ ଆନ୍ଧ୍ର ପକ୍ଷରୁ ନିର୍ମାଣ କରାଯାଇଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛି ଆନ୍ଧ୍ର । 

ଆନ୍ଧ୍ରର ଏହି ଦାଦାଗିରି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ସୂଚନା ମୁତାବକ , ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିଲା । ଦୁଇ ଦିନ ତଳେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ସିଲ ହୋଇଥିବା ଅଙ୍ଗନବାଡି କେନ୍ଦ୍ରକୁ ଖୋଲି ପିଲାଙ୍କୁ ପାଠ ପଢାଇବା ସହ ଅଣ୍ଡା ବାଂଟିଛନ୍ତି ଆନ୍ଧ୍ର ଅଧିକାରୀ । ଏପରିକି ଅଙ୍ଗନାବାଡି କେନ୍ଦ୍ର ସିଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି ଆନ୍ଧ୍ର ।ତେବେ ଆଜି ସେହି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ  ପାଠପଢ଼ା  ଯିବା ସହ ସେଠାରେ ପିଲାମାନଙ୍କୁ  ଅଣ୍ଡା ବଣ୍ଟାଯାଇଥିବା ମଧ୍ୟ ଜଣାପଡ଼ିଛି।

ଏତଦ୍ ବ୍ୟତୀତ ଆନ୍ଧ୍ରପ୍ରଦେଶ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡଃ ଆପାଲା ରାଜୁ ଏବଂ ଅଧିକାରୀ ମାନେ ଶତାଧିକ ଲୋକଙ୍କୁ ନେଇ ସେଠାରେ ବୈଠକ କରିବା ସହ ଆନ୍ଧ୍ରର ବିଭିନ୍ନ ଉନ୍ନୟନମୂଳକ ପ୍ରଳ୍ପପର ସମୀକ୍ଷା କରିଛନ୍ତି । 

ଏହାସହ ଓଡ଼ିଶା ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ଯଦି କୌଣସି ଅଧିକାରୀ ଆସି ଏହି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବାକୁ ଚେଷ୍ଟା କରିବେ, ତାଙ୍କ ବିରୋଧରେ ଆନ୍ଧ୍ର ସରକାର ଦୃଢ଼ କାର୍ଯ୍ୟ ଗ୍ରହଣ କରିବେ। ଅନ୍ୟପକ୍ଷରେ ଓଡ଼ିଶାର କୌଣସି ଅଧିକାରୀଙ୍କ ଦେଖାନଥିବା ବେଳେ ଓଡ଼ିଶାର କିଛି ଅଧିକାରୀ ଓ ଜନପ୍ରତିନିଧିଙ୍କ ବିରୋଧରେ ଆନ୍ଧ୍ର ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। 

ତେବେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବାରମ୍ବାର ଏଭଳି ପ୍ରୟାସ କରାଯାଉଥିବା ବେଳେ ଓଡ଼ିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଆନ୍ଧ୍ରର ଦାଦାଗିରି ଓଡିଶା ସୀମାରେ ଦିନକୁ ଦିନ ବଢିବାରେ ଲାଗିଛି।

Related Posts