
ଆଜି ସରିବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସମସ୍ତ ଭୋଟ ଗ୍ରହଣ ପକ୍ରିୟା | ଆଜି ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି | ୫୪ଟି ଆସନ ପାଇଁ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ | ତେବେ ୨ କୋଟି ୬ ଲକ୍ଷ ଭୋଟର କାହାକୁ ଚୟନ କରୁଛନ୍ତି ତାହା ଉପରେ ନଜର ରହିଛି। ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି, ଆଜମଗଡ଼, ମାଉ, ଜାଉଁପୁର, ଗାଜିପୁର, ଚନ୍ଦୁଲି, ବାରଣାସୀ, ମିର୍ଜାପୁର, ଭଦୋହି ଏବଂ ସୋନଭଦ୍ର। ଏହି ପର୍ଯ୍ୟାୟରେ ରାଜ୍ୟର ଅନେକ ହେଭିୱେଟ୍ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି।
ଅନ୍ତିମ ପର୍ଯ୍ୟାୟରେ ସ୍ବଚ୍ଛ ଏବଂ ଭୟମୁକ୍ତ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଳା ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ ଫେବ୍ରୁଆରି ୧୦ ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିଲା | ମାର୍ଚ୍ଚ ୧୦ ତାରିଖରେ ୟୁପି ସମେତ ପଂଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ନିର୍ବାଚନ ମଣ୍ଡଳି ବାରାଣସୀରେ ଆଜି ଭୋଟ୍ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଲୋକସଭା ଆସନ ଆଜମଗଡରେ ମଧ୍ୟ ଆଜି ଭୋଟିଂ ହୋଉଛି।
ସୂଚନା ମୁତାବକ, ୨୦୧୭ରେ ବିଜେପି ୫୪ଟି ସିଟ୍ରୁ ୩୬ଟି ସିଟ୍ରେ ବିପୁଳ ବିଜୟ ହାସଲ କରିଥିଲା। ସେହିପରି ସମାଜବାଦୀ ପାର୍ଟି ୨୦୧୭ରେ ୧୧ଟି ଆସନରେ ଜିତିଥିଲା। ମାୟାବତୀ ୬ଟି ଆସନ ହାତେଇ ପାରିଥିଲେ। ତେବେ ଚଳିତବର୍ଷ ର ଉତ୍ତରପ୍ରେଦଶ ନିର୍ବାଚନରେ କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା।