ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଲି ଠାରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କଙ୍କ ଟିକାକରଣ । କାଲି ଜାତୀୟ ଟିକାକରଣ ଦିବସ ଥିବାରୁ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଇ ଏହି ଅଭିଯାନ ଆରମ୍ଭ କରାଯିବ । ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ । ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ । ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଏକ ଭିଡି କନଫରେନ୍ସ ବୈଠକ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି । ୧୨-୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ବୟସ ବର୍ଗ ଅର୍ଥାତ୍ ଯେଉଁମାନେ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଛନ୍ତି ଏବଂ ୧୨ ବର୍ଷରୁ ଅଧିକ ବୟସ ଟପିସାରିଛନ୍ତି ସେମାନଙ୍କୁ ଆସନ୍ତାକାଲିଠୁ କୋଭିଡ ୧୯ ଟିକା ଦେବା ଲାଗି କେନ୍ଦ୍ର ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ ।
ଏହା ବ୍ୟତୀତ ସବୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ହିତାଧିକାରୀମାନଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କୋ-ମୋର୍ବୋଡିଜ୍ ବା ପୂର୍ବ ଦୂରାରୋଗ୍ୟ ବ୍ୟାଧି ସର୍ତ୍ତାବଳୀକୁ ଉଚ୍ଛେଦ କରାଯାଇଛି । ବୁଷ୍ଟର ଡୋଜ୍ ଟିକାକରଣ ପାଇଁ ସରକାର କେତେକ ନିୟମ ଧାର୍ୟ୍ୟ କରିଛନ୍ତି । ପୂର୍ବରୁ ହିତାଧିକାରୀ ଯେଉଁ ଟିକାର ଦୁଇଟି ଡୋଜ୍ ନେଇଥିବେ, ଦ୍ବିତୀୟ ଡୋଜ୍ ଟିକା ନେବାର ୯ ମାସ (୩୬ ସପ୍ତାହ) ପରେ ସେହି ଟିକାର ବୁଷ୍ଟର ଡୋଜ୍ ଟିକା ନେବେ। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ପରିଚାଳନା ମାର୍ଗଦର୍ଶିକା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପଠାଇ ଦିଆଯାଇଛି ।
