କରୋନା ଭାରିଆଣ୍ଟ ଓମିକ୍ରନ ପାଇଁ ଆସିଲା ଟିକା: ପ୍ରଥମ ଦେଶ ଭାବେ ବ୍ରିଟେନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଭାଇରସ ରଙ୍ଗ ବଦଳାଉ ଥିବା ବେଳେ, ଭାରିଆଣ୍ଟ ଓମିକ୍ରନ କୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି । ଏହାରି ମଧ୍ୟରେ ମୁକାବିଲା ପାଇଁ ଆସିଛି ଟିକା।

ପ୍ରଥମ ଦେଶ ଭାବେ ଓମିକ୍ରନ ଟିକାକୁ ଅନୁମତି ଦେଲା ବ୍ରିଟେନ। ବ୍ରିଟେନର ମେଡିସିନ୍ ରେଗୁଲେଟର (ଏମଏଚଆରଏ) ମୋଡର୍ନା ଦ୍ୱାରା ପ୍ରସ୍ତୁତ ‘ଦ୍ୱିପାକ୍ଷିକ’ ଟିକାକୁ ବୁଷ୍ଟର ଭାବରେ ବ୍ୟବହାର କରିବାକୁ ବୟସ୍କମାନଙ୍କ ପାଇଁ ମଞ୍ଜରୀ ଦିଆଯାଇଛି। ଟିକାର କ୍ଲିନିକାଲ ପରୀକ୍ଷଣ କରାଯାଇଥିବା ବେଳେ ଜଣାପଡ଼ିଥିଲା ଯେ, ଏହି ଟିକା ଉଭୟ ଓମିକ୍ରନ ଭାରିଆଣ୍ଟ ଏବଂ ‌କରୋନାର ମୂଳ ଭାରିଆଣ୍ଟ ସହ ଲଢ଼ିବାକୁ ସକ୍ଷମ।

ବ୍ରିଟେନର ଔଷଧ ନିୟାମକ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ୍ ସବ୍-ଭାରିଆଣ୍ଟସ୍ ବିଏ.୪ ଏବଂ ବିଏ.୫ ବିରୋଧରେ ଏହି ବୁଷ୍ଟର ଲାଭଦାୟକ ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନୋଭାଭାକ୍ସ ସହିତ ଓମିକ୍ରନ୍ ଭାରିଆଣ୍ଟ ଟିକା ଉପରେ କାମ କରୁଛି ବୋଲି କହିଛନ୍ତି ଅନୁଷ୍ଠାନର ମୁଖ୍ୟ ଅଦାର ପୁନାୱାଲା। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ପାଇଁ ଭାରତରେ ଏକ ସ୍ୱତନ୍ତ୍ର ଟିକା ପ୍ରସ୍ତୁତ କରାଯାଉଛି, ଏହା ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।

ତେବେ ଦେଶର କରୋନା ସ୍ଥିତି ଦେଖିବାକୁ ଗଲେ ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇ ୧୫ ହଜାର ପାଖାପାଖି ହୋଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ଦେଶରେ ଦୈନିକ ପଜିଟିଭିଟି ହାର ୭.୫୨% ଏବଂ ସାପ୍ତାହିକ ପଜିଟିଭିଟି ହାର ୪.୬୫% ଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୯୧୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୨ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୪,୯୧୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୬୮,୩୮୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୭,୦୬୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪,୨୩୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୬,୨୩,୮୦୯। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୫୪% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୭,୫୦୮ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୨୭%।

Related Posts