ବିସ୍ଥାପିତଙ୍କୁ ବେଦାନ୍ତର ବେଇମାନି !

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବେଦାନ୍ତ ନାଁରେ ଶୋଷଣ କରାଯାଉଥିବା ଅଭିଯୋଗ ଆଣିଲେ ବିସ୍ଥାପିତ ଯୁବକ। ବିସ୍ଥାପିତ ଯୁବକ ମାନେ ଅଭିଯୋଗ କରି ଆସୁଛନ୍ତି ଯେ ସେମାନଙ୍କୁ ଅଣଦେଖା କରାଯାଉଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତାଲିମ ନାଁରେ ଶୋଷଣ କରାଯାଉଥିବା ଅଭିଯୋଗରେ ପ୍ରତିବାଦ କରୁଥିବା ଉତ୍ତ୍ୟକ୍ତ ଯୁବକମାନେ ଗତ କାଲି କମ୍ପାନିର ସିଏସ୍‌ଆର ଅଫିସକୁ ଧସେଇ ପଶିଥିଲେ।

ସେମାନଙ୍କ ଅଭିଯୋଗ ହେଉଛି ଯେ , ବିସ୍ଥାପିତ ହୋଇଥିବା ଲୋକଙ୍କୁ ଲାଞ୍ଜିଗଡ଼ ବ୍ଲକ୍‌ ରେଙ୍ଗୋପାଲି କୋର୍ଟଦ୍ବାର ଏବଂ ବସନ୍ତପଡ଼ାରେ ଲୋକଙ୍କୁ ବେଦାନ୍ତ ପକ୍ଷରୁ ଥଇଥାନ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା। ସେମାନେ ନିଜର ଘର ଓ ଜମି ହରାଇଥିଲେ। ଏହା ପରେ କମ୍ପାନୀ ସେମାନଙ୍କ ପରିବାରର ଯୁବକମାନଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି। ଏହାପରେ ସେମାନଙ୍କୁ ଭୁବନେଶ୍ବରରେ ଆଇଟିଆଇ ତାଲିମ ପାଇଁ ପଠାଯାଇଥିଲା। ବିସ୍ଥାପିତ ହୋଇଥିବା ୩ଟି ଗ୍ରାମର ୯୨ଜଣ ଯୁବକଙ୍କୁ ତାଲିମ ପରେ ଚାକିରି ଦିଆଯିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଥିଲା। ତେବେ ଏହି ଯୁବକ ମାନେ ବାରମ୍ବାର ଅଭିଯୋଗ କରାଯାଇଥିଲା ଯେ ତାଲିମ କେନ୍ଦ୍ରରେ ବ୍ୟାପକ ଅବହେଳା ହେଉଥିଲା। ଯଦି କେହି ପ୍ରତିବାଦ କରନ୍ତି ତେବେ ସେମାନଙ୍କୁ ବାହାର କରିଦିଆଯିବ ବୋଲି ଧମକ ମିଳୁଥିଲା। ଏନେଇ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନଥିଲା। ଶେଷରେ ଗତକାଲି ଦିନ ରେଙ୍ଗୋପାଲି, କୋର୍ଟଦ୍ବାର, ବନ୍ଦଗୁଡ଼ା ଅଞ୍ଚଳର ଶତାଧିକ ବିସ୍ଥାପିତ ଯୁବକ ବେଦାନ୍ତ ଫାଟକ ସମ୍ମୁଖରେ ଏକତ୍ରିତ ହୋଇ ସିଏସ୍‌ଆର ଅଫିସ୍‌କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପ୍ରତିବାଦ ପରେ ସେଠାକାର ଅଧିକାରୀ ବିନୋଦ ରଥଙ୍କୁ ସମ୍ପୃକ୍ତ ଯୁବକମାନେ ଦାବିପତ୍ର ଦେଇଥିଲେ। କମ୍ପାନି ପକ୍ଷରୁ ଭଲ ତାଲିମ ଓ ଚାକିରି ଦିଆନଗଲେ ବେଦାନ୍ତ ଗେଟ୍‌ ଆଗରେ ଧାରଣା ଦିଆଯିବ ବୋଲି ଏହି ତାଲିମପ୍ରାପ୍ତ ଯୁବକ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପ୍ରଫୁଲ୍ଲ ନାଏକ, କୃଷ୍ଣ ଖରିଜନ, ଗଜାନନ୍ଦ ମାଝୀ, ବିନୋଦ କୁମାର, ଧନେଶ୍ବର ହରିଜନ ପ୍ରମୁଖଙ୍କ ନେତୃତ୍ବରେ ଯୁବକମାନେ ସିଏସ୍‌ଆର ଅଫିସ ଘେରିଥିଲେ।

Related Posts