ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ମୋଟୁ ଥାନା ଅଧିକାରୀ ; ଗାଡ଼ିରୁ ୨ଲକ୍ଷ ୮୦ ହଜାର ଜବତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ । ମିଳିଥିବା ସୂଚନା ଅନୁସାରେ, ସେ ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ମାଲକାନଗିରିରୁ ଖୋର୍ଦ୍ଧା ଜିଲା ନଖରା ଗ୍ରାମସ୍ଥିତ ବାସଭବନକୁ ଯାଉଥିଲେ। ଏହି ସମୟରେ ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇ ଖୋାର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗାଡି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା। ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ।

ଏହାପରେ କାର୍‌ ସହ ସେମାନଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ସେଠାରେ ପଚରାଉଚୁରା କରାଯିବା ପରେ ଗାଡ଼ିରେ ଥିବା ଅନ୍ୟ ବ୍ୟାଗ୍‌ ଗୁଡ଼ିକୁ ଯାଞ୍ଚ୍‌ କରାଯାଇଥିଲା। ଏହା ପରେ ରାତି ପ୍ରାୟ ୭.୩୦ ସମୟରେ ମହିଳା ଭିଜିଲାନ୍ସ ଅଧିକାରୀଙ୍କ ସହ ଆଇଆଇସି ଶ୍ରୀ ସାହୁଙ୍କ ପତ୍ନୀ ଓ ପିଲା ମାନଙ୍କୁ ଛାଡ଼ିଦିଆଯାଇଥିଲା। ପରେ ସନ୍ତୋଷ ସାହୁଙ୍କୁ ସିଜର୍‌ ତାଲିକାରେ ସ୍ବାକ୍ଷର କରାଯାଇ ଭୁବନେଶ୍ବର ଅଣାଯାଇଥିଲା।ତାଙ୍କରି କାର୍ ସମେତ , ୨ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏ ସମ୍ପର୍କରେ ଭିଜିଲାନ୍ସ ଏଏସ୍‌ପି ଅକ୍ଷୟ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷେ, ବ୍ରେନ୍‌ଷ୍ଟ୍ରୋକ୍‌‌ର ଶିକାର ହୋଇଥିବା ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ସେ ଉଧାରରେ ଆଣିଥିବା ଶ୍ରୀ ସାହୁ କହିଥିଲେ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ ସନ୍ତୋଷ ସାହୁ ୨୦୦୯ରେ ଏସ୍‌ଆଇ ଭାବେ ଚାକିରିରେ ଯୋଗ ଦେଇଥିଲେ। ୪ ରୁ ୫ ବର୍ଷ ପୂର୍ବେ ପଦୋନ୍ନତି ପାଇ ମୋଟୁ ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ କଟକର ଟ୍ରାଫିକ୍ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।

ସୂଚନାେଯାଗ୍ୟ ଯେ,ଗତ କିଛିଦିନ ତଳେ ମାଲକାନଗିରି ସୀମାନ୍ତ ମୋଟୁ ଅଞ୍ଚଳରୁ ବଡ଼ବଡ଼ ଟ୍ରକ୍‌ ମାଧ୍ୟମରେ ବହୁ ମୂଲ୍ୟବାନ ପଥର ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମୟରେ ମୋଟୁ ପୁଲିସ ଅଟକାଇ ଯାଞ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ନେଇ କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ ।

Related Posts