
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱର ତୈଳ ଅଭାବକୁ ପୂରଣ କରିବା ପାଇଁ ଆଗକୁ ଆସିଲା ଭେନେଜୁଏଲା । କାରଣ ଆମେରିକା ରୁଷରୁ ତେଲ ଏବଂ ଗ୍ୟାସ ଆମଦାନୀ ନକରିବାକୁ ଘୋଷଣା କରିଥିବା ବେଳେ ରୁଷ ମଧ୍ୟ ୟୁରୋପକୁ ତୈଳ ଯୋଗାଣ ନକରିବାକୁ ଧମକ ଦେଇଛି। ଆମେରିକାର ଘୋଷଣା ପରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ବୋଲି ବିଶ୍ୱାସ କରାଯାଉଥିବା ବେଳେ ତୈଳ ଯୋଗାଣକୁ ପୂରଣ କରିବା ପାଇଁ ଭେନେଜୁଏଲା ଉତ୍ପାଦନ ବୃଦ୍ଧି କରିବ ବୋଲି ସଙ୍କେତ ଦେଇଛି। ତେବେ ଆମେରିକା ରୁଷରୁ ପ୍ରାୟ ୮-୧୦% ତେଲ ଆମଦାନୀ କରୁଥିବା ବେଳେ ଏବେ ଏହା ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୋକ ଲଗାଇଛନ୍ତି। ଏଭଳି ସ୍ଥିତିରେ ତେଲ ଦର ବଢ଼ିବ ବୋଲି ଆଶା କରାଯାଉଛି।
ଏମଧ୍ୟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ସଙ୍କେତ ଦେଇଛନ୍ତି ଯେ, ଯଦି ଅନ୍ତର୍ଜାତୀୟ ବଜାରରେ ରୁଷର ତୈଳ ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ଭେନେଜୁଏଲା ତୈଳ ଉତ୍ପାଦନ ବୃଦ୍ଧି କରିବ। ହେଲେ ବର୍ତ୍ତମାନ ପାଇଁ ଆମେରିକା ଭେନେଜୁଏଲାର ତୈଳ ଶିଳ୍ପ ଉପରେ ପ୍ରତିବନ୍ଧକ ଲଗାଇଛି। କିନ୍ତୁ ରୁଷରୁ ଆସୁଥିବା ତୈଳର ବିକଳ୍ପ ସୃଷ୍ଟି କରିବା ଏବଂ ଅଶୋଧିତ ତୈଳ ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଆମେରିକା ପ୍ରଶାସନ ବର୍ତ୍ତମାନ ଭେନେଜୁଏଲା ଉପରୁ ପ୍ରତିବନ୍ଧକ ହଟାଇବାକୁ ଚିନ୍ତା କରୁଛି।