ଧର୍ମେନ୍ଦ୍ର-ବବି ଟ୍ୱିଟ୍ ୱାର୍; ଆମ୍ବୁଲାନ୍ସର ଜବାବ ଜାତୀୟ ରାଜପଥରେ

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ):   ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିଛି | ସେପଟେ ତାଙ୍କୁ ଟକ୍କର ଦେବାପାଇଁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି। ନାମାଙ୍କନପତ୍ର ଦାଖଲକୁ ଆହୁରି ଅନେକଦିନ ବାକି ଥିବାବେଳେ ଏବେଠୁ ଦୁଇନେତାଙ୍କ ମଧ୍ୟରେ ବୟାନବାଜି ରାଜନୈତିକ ମାହୋଲରେ ଉଷ୍ମତା ଭରିଦେଇଛି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଗଡ଼ଲୋଇସିଂହ ପଂଚାୟତ ବେଲପାଣି ଗାଁର ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଘଟଣାରେ ନିଜର ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏନେଇ ଟ୍ୱିଟ କରିବା ସହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ସ୍ୱାଧୀନତାର ୭୬ ବର୍ଷ ପରେ ବି ରୋଗୀଙ୍କୁ ଭାରରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ ୧୯ ପ୍ରତିଶତ ଶିଶୁ ଜନ୍ମ ବେଳେ କମ୍‌ ଓଜନ ହୋଇଥିବା ବେଳେ ୩୧ ପ୍ରତିଶତ ଶିଶୁ ବୟସ ଅନୁସାରେ ଉଚ୍ଚତା କମ୍‌, ୧୮ ପ୍ରତିଶତ ଶିଶୁ ଉଚ୍ଚତା ଅନୁସାରେ ଓଜନ କମ୍‌ ଏବଂ ୬୪ ପ୍ରତିଶତ ଶିଶୁ ଓ ୬୨ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ। ରାଜ୍ୟରେ ସରକାରୀ ଡାକ୍ତରଖାନା ନାହିଁ, ଡାକ୍ତରଖାନା ଥିଲେ ସେଠାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ। ସମ୍ବଲପୁର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୪୦ କିମି ଦୂରରେ ଏହି ଅବସ୍ଥା, ଆଭ୍ୟନ୍ତରୀଣ ଅଞ୍ଚଳରେ ପରିସ୍ଥିତି ଆହୁରି ଶୋଚନୀୟ। ଏହା କ’ଣ ଦୀର୍ଘ ୨୫ ବର୍ଷ ଶାସନର ‘ରୂପାନ୍ତରଣ’? ଅନ୍ୟପକ୍ଷରେ, ବିଜେଡିର କୁହାଳିଆ ନେତାମାନେ ଓଡ଼ିଶାକୁ ଏକ ନମ୍ବର କରିବାର ମିଛ ପ୍ରଚାର କରୁଛନ୍ତି । ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟାବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି ବୋଲି ଧର୍ମେନ୍ଦ୍ର।

ସେପଟେ ଧର୍ମେନ୍ଦ୍ରଙ୍କ ଏଭଳି ବୟାନର କିଛିଘଣ୍ଟା ମଧ୍ୟରେ ସାମାଜିକ ଗଣମାମଧ୍ୟମରେ ବବି ଏହାର ଦୃଢ଼ ଜବାବ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ‘ଧର୍ମେନ୍ଦ୍ର ଭାଇ’ ବୋଲି ସମ୍ବୋଧନ କରି ବବି ଲେଖିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନ୍‌ଏଚ୍‌ ୫୫ର ଦୁରବସ୍ଥା ଯୋଗୁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା କ’ଣ ହୋଇପା‌ରେ ? ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି କେଉଁ ମୁହଁ ନେଇ ଆପଣ ସେହି ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ ବୋଲି ବବି ପ୍ରଶ୍ନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି। ଜନସାଧାରଣ ଆପଣଙ୍କୁ ଉଚିତ ଜବାବ ଦେବେ ବୋଲି ବବି ଉଲ୍ଲେଖ କରିଛନ୍ତି।

ତେବେ ସମ୍ବଲପୁରରେ ଏବେ ନିର୍ବାଚନୀ ତାତି ବଢୁଥିବା ବେଳେ ଦୁଇ ନେତାଙ୍କ ଟ୍ୱିଟ ୱାର ଲଢେଇକୁ ଅଧିକ ରୋଚକ କରିଛି। ଏଭଳି ସ୍ଥିତିରେ ଆଗକୁ ଧର୍ମେନ୍ଦ୍ର-ବବି ଲଢେଇ ଯେଉଁ ମୋଡ଼ ନେଉଛି ତାହାରି ଉପରେ ସମସ୍ତଙ୍କ ନଜର ।

Related Posts