ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ଭିଡ଼ିଓ କନଫରେସିଂ ବ୍ୟବସ୍ଥା କରାଯାଇଛି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ନିଷ୍ପତ୍ତି ଅନୁସାରେ ବିଧାନସଭାରୁ ସମସ୍ତ କୋଭିଡ୍ କଟକଣାକୁ ହଟାଇ ଦିଆଯାଇଛି। ଏହା ସହିତ ଗୃହ ସ୍ୱାଭାବିକ ଭାବେ ଚାଲିବ ଓ ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ କୁ ମଧ୍ୟ ଛଡା ଯିବା ବୋଲି ସୂଚନା ଦିଆଯାଇଛି। ଏହାସହିତ ବିଧାୟକମାନେ ଚାହିଁଲେ ବିଧାନସଭା ନଯାଇ ଭିଡିଓ କନଫରେସିଂରେ ମଧ୍ୟ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ। ତେବେ ଏଭଳି ନୂଆ ବ୍ୟବସ୍ଥା ସରକାର ଅଚାନକ ଲାଗୁ କରିଥିବା ବେଳେ ଏହାକୁ ବିଜେପିର ବିରୋଧ କରିଛି। ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ଏହି ଭିଡ଼ିଓ କନଫରେସିଂ ବ୍ୟବସ୍ଥା କରାଯାଇଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି।

ସର୍ବଦଳୀୟ ବୈଠକରେ ସେ ଏନେଇ ଅଭିଯୋଗ କରିବା ସହ ଦାବି କରିଛନ୍ତି ଯେ, ଏପରି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି। ବିଧାୟକମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ। ସେହିପରି ମୁଲତବୀ ପ୍ରସ୍ତାବ ସବୁବେଳେ ମୁଖ୍ୟ ବିରୋଧୀ ଦଳ ହିଁ ଦେଇଥାଏ। ସେଥିପାଇଁ ମୁଖ୍ୟ ବିରୋଧୀ ଦଳ ହିସାବରେ କେବଳ ବିଜେପିକୁ ସେ ସୁଯୋଗ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ସେପଟେ ବିଧାନସଭା ଅଧିବେଶନ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଥିବା କୋଭିଡ କଟକଣା ହଟିଛି। ତେଣୁ ସ୍ୱାଭାବିକ ଭାବେ ଚାଲିବ ଗୃହ।

Related Posts