ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଡିଓ ବିନୋଦ ନାଏକ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ମାଡି ବସିଲେ ଭିଜିଲାନ୍ସ ଅଧିକାରୀ । ଗୁଡ଼ଭେଲା ବିଡିଓ ବିନୋଦ ନାଏକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ।

ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି। ଏକ ସରକାରୀ କ୍ୱାର୍ଟର୍ସ ମରାମତି ଠିକା ଦେବାକୁ ସେ ଲାଞ୍ଚ ନେଉଥିଲେ। ବିଡ଼ିଓ ଜଣକ ଲାଞ୍ଚ ମାଗିଥିବା ନେଇ ଠିକାଦାର ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଗୁଡ଼ଭେଲା ଠାରେ ଏକ ସରକାରୀ କ୍ୱାର୍ଟର୍ସ ୩୦ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯିବାକୁ ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପର ଠିକା କାମ ଦେବାକୁ ଠିକାଦାରଙ୍କୁ ବିଡିଓ ୫ ପ୍ରତିଶତ ହିସାବରେ ୧.୮୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଠିକା କାମ ପାଇବାକୁ ଠିକାଦାର ପୂର୍ବରୁ ୩୦ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ତୁରନ୍ତ ଦେବାକୁ ବିଡ଼ିଓ ଚାପ ପକାଇବା ପରେ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯାହା ପରେ ଭିଜିଲାନ୍ସ ପକ୍ଷରୁ ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା।

ଲାଞ୍ଚ ନେଇ ଧରାପଡ଼ିବା ପରେ ବିଡ଼ିଓଙ୍କ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଜାଣିବା ନିମନ୍ତେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଛି। ବିଡିଓଙ୍କ ୩ଟି ଠିକଣାରେ ଚଢ଼ଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Related Posts