‘ବିରାଟ କୋହଲି ଟି-୨୦ କ୍ରିକେଟରୁ ଅବସର ନେଇଯିବା ଉଚିତ୍’: ସୋଏବ୍ ଅଖତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଟି-୨୦ ବିଶ୍ୱକପ୍ ର ପ୍ରଥମ ଲିଗ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇଛି ଭାରତ। ତେବେ ମେଲବର୍ଣ୍ଣର ଐତିହାସିକ ଗ୍ରାଉଣ୍ଡରେ ଭାରତୀୟ ଟିମ ଦମଦାର ବିଜୟ ହାସଲ କରିବା ପରେ ଏହାକୁ ନେଇ ପାକିସ୍ତାନରେ ଝଡ ଥମିବାର ନାଁ ନେଉନି । କୋହଲିଙ୍କ ବିରାଟ ଇଂନିସକୁ ଚାରିଆଡେ ପ୍ରଂଶସା କରାଯାଉଥିବାବେଳେ, ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ୍ ଅଖତର ଏହାକୁ ନେଇ ଏକ ବଡ ବୟାନ ରଖିଛନ୍ତି । ସୋଏବ କହିଛନ୍ତି ଯେ, ବିରାଟ କୋହଲି ଏବେ ଟି-୨୦ କ୍ରିକେଟରୁ ଅବସର ନେଇଯିବା କଥା ।ତେବେ ସୋଏବଙ୍କ ଏହି ବୟାନ ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମେଲବର୍ଣ୍ଣରେ ବିରାଟ କୋହଲି ୮୨ ରନର ଦମଦାର ଇଂନିସ ଖେଳିଥିଲେ । ଯାହା ଫଳରେ ବ୍ୟାକଫୁଟରେ ଥାଇ ମଧ୍ୟ ଟିମ୍ ଇଣ୍ଡିଆ ବିଶ୍ୱକପର ଏହି ମ୍ୟାଚ୍ ରେ ବିଜୟ ହାସଲ କରିଥିଲା । ତେବେ ସୋଏବ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ବିରାଟ କୋହଲି ଟି-୨୦ରୁ ଅବସର ନେଇଯିବା ଉଚିତ୍ । କାହିଁକି ନା ଛୋଟ ଫର୍ମାଟରେ ସେ ତାଙ୍କର ଶକ୍ତି ନଷ୍ଟ ନକରନ୍ତୁ । ପାକିସ୍ତାନ ବିପକ୍ଷରେ କୋହଲି ତାଙ୍କର ଯେତିକି ଶକ୍ତି ଖର୍ଚ୍ଚ କଲେ, ଦିନିକିଆରେ ସେତିକି ଶକ୍ତି ଖର୍ଚ୍ଚ କଲେ ସେ ୩ଟି ଶତକ ମାରିପାରିବେ ବୋଲି ସୋଏବ କହିଛନ୍ତି । ତେଣୁ ବିରାଟ କୋହଲି ତୁରନ୍ତ ଟି-୨୦ରୁ ଅବସର ନେଇଯାଆନ୍ତୁ ବୋଲି ସୋଏବ ମତ ରଖିଛନ୍ତି ।

ସୋଏବ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ତିନି ବର୍ଷ ଧରି ବିରାଟ କୋହଲି କଠିନ ପରିସ୍ଥିତି ଦେଇ ଗତି କରୁଥିଲେ । ହେଲେ ଏବେ ସେ ତାଙ୍କର ଫର୍ମ ଫେରି ପାଇଛନ୍ତି । ମ୍ୟାଚରେ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ସେ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବ୍ୟବହାର କରିବା ଉଚିତ୍ ବୋଲି ସୋଏବ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗେତ ଅକ୍ଟୋବର ୨୩ ଭାରତ-ପାକିସ୍ତାନ ମ୍ୟାଚରେ ଟିମ୍ ଇଣ୍ଡିଆ ୪ ୱିକେଟରେ ବିଜୟ ହାସଲ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିବାବେଳେ, ଭାରତ ଶେଷ ଓଭରରେ ବିଜୟ ହାସଲ କରିଥିଲା । ତେବେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି, ସେ ୫୩ ବଲରୁ ୮୨ ରନ୍ ସଂଗ୍ରହ କରିଥିଲେ ।

Related Posts