‘ଯଦି ପାରୁଛନ୍ତି ବିଜେପିକୁ ଭୋଟ ଦିଅନ୍ତୁ, କିନ୍ତୁ ଆମ ଆଦମୀ ପାର୍ଟିକୁ ନୁହେଁ’: ଗୁଜୁରାଟ କଂଗ୍ରେସ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସମସ୍ତେ ନିଜ ବିଜୟର ଦାବି କରିବା ସହିତ ସବୁ ନେତା ନିଜ ଦଳ ପାଇଁ ଭୋଟ ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛନ୍ତି।

ଏସବୁ ଭିତରେ କଂଗ୍ରେସ ନେତା ତଥା ବିଧାୟକ ଲଲିତ ଭାସୋୟାଙ୍କ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ରେ ସେ ବିଜେପିକୁ ଭୋଟ ଦେବାକୁ ପ୍ରଚାର ମଞ୍ଚରୁ ନିବେଦନ କରିଛନ୍ତି। ଆପ କୁ ଭୋଟ ନଦେଇ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ ସେ ପରାମର୍ଶ ଦେଇଛନ୍ତି। ତେବେ ଏହି ଭିଡ଼ିଓ ଭାଇରାଲ ହେବାପରେ ବର୍ତ୍ତମାନ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଥଟ୍ଟାରେ ଏହା କହିଛନ୍ତି।

ସୂଚନା ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ତଥା ଧୋରଜୀର ବିଧାୟକ ଲଲିତ ଭାସୋୟା ଏକ ସାଧାରଣ ସଭାରେ ମଞ୍ଚରୁ କଂଗ୍ରେସ ପାଇଁ ପ୍ରଚାର କରୁଥିଲେ। ଏହି ସମୟରେ ସେ କହିଥିଲେ ଯେ ଆମ ଆଦମୀ ପାର୍ଟି କଂଗ୍ରେସ ଭୋଟ ବିଭାଜନ କରିବାକୁ ଗୁଜୁରାଟ ଆସିଛି। ମୁଁ ଆପଣଙ୍କୁ ମଞ୍ଚରୁ କହୁଛି, ଆପଣମାନେ ବିଜେପିକୁ ଭୋଟ ଦିଅନ୍ତୁ ପଛେ କିନ୍ତୁ ଆମ ଆଦମୀ ପାର୍ଟିକୁ ନୁହେଁ।

ଏହାପରେ ଏହି ବିବୃତିକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ଭିଡିଓକୁ ଟୱିଟ କରି ଭାଜପା-କଂଗ୍ରେସ ମିଳନର ଅଭିଯୋଗକୁ ଦୋହରାଇଛନ୍ତି। କେଜ୍ରିୱାଲ ଲେଖିଛନ୍ତି ଯେ, ଏହାକୁ ଦେଖ। କଂଗ୍ରେସର ବରିଷ୍ଠ ନେତା ମଞ୍ଚରୁ ଖୋଲାଖୋଲି ଭାବେ କହିଛନ୍ତି ଯେ ଆମ ଆଦମୀ ପାର୍ଟିକୁ ଭୋଟ ଦିଅନ୍ତୁ ନାହିଁ, ବିଜେପିକୁ ଭୋଟ ଦିଅନ୍ତୁ। ଏହି ଦୁଇ ଦଳ ଏକାଠି ନିର୍ବାଚନ ଲଢୂଛନ୍ତି, ଏବେବି ଏନେଇ କୌଣସି ସନ୍ଦେହ ଅଛି କି ? ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

Related Posts