ଭୋଟ ଦେଲେ ଅପରାଜିତା, ପାଣ୍ଡିଆନ

ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛି ଓଡ଼ିଶା। ତେବେ ଆଜି ଭୁବନେଶ୍ୱରରେ ଭୋଟ ଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସେ ନୟାପଲ୍ଲୀ ଏନ-୧ ୟୁପି ସ୍କୁଲର ୧୧୮ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି। ଲମ୍ବା ଲାଇନରେ ଛିଡ଼ା ହୋଇ ଅପରାଜିତା ଷଡ଼ଙ୍ଗୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅପରାଜିତାଙ୍କ ସହ ବୁଥରେ ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଭୋଟ ଦେଇଛନ୍ତି। ଭୋଟ ଦେବା ପୂର୍ବରୁ ଅପରାଜିତା କହିଛନ୍ତି, ଭୋଟ ଦେବାକୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ରହିଛି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଲୋକେ ଭୋଟ ଦେଉଛନ୍ତି। ଲୋକଙ୍କ ସେବା କରିବାର ଅଛି, ଯିଏ ସେବକ ସିଏ ଭିଆଇପି ସଂସ୍କୃତିରେ ବିଶ୍ୱାସ କରେ ନାହିଁ। ବହୁତ ଲୋକ ଭୋଟ ଦେବାକୁ ଆସୁଛନ୍ତି, ଗଣତନ୍ତ୍ର ପାଇଁ ଏହା ଭଲ ସଂକେତ। ଭୁବନେଶ୍ୱରରେ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ରାଜଧାନୀବାସୀଙ୍କୁ ଅପରାଜିତା ଅପିଲ କରିଛନ୍ତି। ଏହାସହ ଅପରାଜିତା କହିଛନ୍ତି, ଗତ ୫ ବର୍ଷ ହେବ ବିଭିନ୍ନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଭୋଟ ଦେବାକୁ କହିଥିଲି, ଯାହାର ପ୍ରଭାବ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଅପରାଜିତା।

ସେହିପରି ଆଜି ସକାଳେ ବିଜେଡି ନେତା ଭିକେ ପାଣ୍ଡିଆନ ୟୁନିଟ୍-୬ର ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଛନ୍ତି। ସକାଳୁ ଏକ ଅଟୋରେ ବସି ବୁଥରେ ପହଞ୍ଚି ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ସେ ଭୋଟ୍ ଦେଇଛନ୍ତି। ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ଆଜି ପଡିଲା । ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସେହିପରି ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ଇଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବା ପରେ ସେ ଭୋଟ ଦେଇଛନ୍ତି। ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି। ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, ଦେଶକୁ ବିକଶିତ ଓ ଓଡ଼ିଶାକୁ ସଦୃଢ଼ କରିବାକୁ ଭୋଟ ଦିଅନ୍ତୁ। ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ। ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ଼ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର।

Related Posts