ବହୁ ଚର୍ଚ୍ଚିତ ସ୍ୱାଭିମାନ ଅଂଚଳରେ ଆଜି ପଡୁଛି ଭୋଟ

ଆଜି ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ଶେଷ ପର୍ଯ୍ୟାୟରେ ଆଜି ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ସାବ୍ୟସ୍ତ କରିବେ ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା କରାଯାଇଥିବା ବେଳେ, ଆଜି ବହୁ ଚର୍ଚ୍ଚିତ ସ୍ୱାଭିମାନ ଅଂଚଳରେ ଦୀର୍ଘ ଦଶ ବର୍ଷ ପରେ ଭୋଟ ଗ୍ରହଣ ହେବ | ଏଥିପାଇଁ ସ୍ୱାଭିମାନ ଅଂଚଳବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଲାଗି ରହି ଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଅତି ସମ୍ବେଦନଶୀଳ ବୁଥ ଗୁଡିକୁ କଡା ସୁରକ୍ଷା ବଳୟରେ ରଖା ଯାଇଛି । ନିବାଚନ ପୂର୍ବରୁ ଯେପରି କେହି ଗାଁରେ ଅନ୍ଧାରି ବିଜେ ନକରନ୍ତି, ସେଥିପାଇଁ ଗାଁ ମୁଣ୍ଡରେ ଜଗି ରହିଛନ୍ତି ସ୍ୱାଭିମାନ ଅଂଚଳର ସଚେତନ ଭୋଟର ।

ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍‌ରେ ନିର୍ବାଚନ ହେଉଥିଲେ ହେଁ ଜୋନ୍‌-୨ ବା ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଛି । ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ପୁଲିସ ଛାଉଣି କରି ଦିଆଯାଇଥିବା ବେଳେ ଅପହଞ୍ଚ ମତଦାନ କେନ୍ଦ୍ରଗୁଡ଼ିକୁ ଜଳପଥରେ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି । ସେହିପରି ମତଦାତା ଓ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ, ଭୋଟ୍‌ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍‌କୁ ଆସିବ ସେନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲେ ବି ମାଓବାଦୀଙ୍କ ଧମକ ଯୋଗୁଁ ଏଠାରେ ନିର୍ବାଚନ ହୋଇନଥିଲା ।

Related Posts