
୨୨ ଦିନରେ ପହଁଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ | କଡା ପ୍ରତିବନ୍ଧକ ସତ୍ତ୍ୱେ ଋଷ ଘନଘନ ମିସାଇଲ ମାଡ ଜାରି ରଖିଛି । ଉଭୟ ପକ୍ଷରୁ ଶହ ଶହ ସୈନ୍ୟ ଓ ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ କିନ୍ତୁ ସବୁଠୁ ବେଶୀ କ୍ଷତି ସହିଛି ୟୁକ୍ରେନ । ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ଧ୍ୱଂସସ୍ତୁପ ପାଲଟିଛି । ତେବେ ଯୁଦ୍ଧ ବିରତ୍ତି ପ୍ରସଙ୍ଗ ତଥା ୟୁକ୍ରେନରେ ମାନବୀୟ ସ୍ଥିତି ନେଇ ଜରୁରୀ ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ ।
ଜାତିସଙ୍ଘ ସୁରକ୍ଷା ପରିଷଦ ଅପରାହ୍ଣ ୩ଟାରେ ଜରୁରୀ ବୈଠକ ଡାକିଛି । ଏଥିରେ ଆମେରିକା ସମେତ ୬ଟି ଦେଶ, ବ୍ରିଟେନ, ଫ୍ରାନ୍ସ, ଆଲବାନିଆ, ଆୟରଲ୍ୟାଣ୍ଡ ଏବଂ ନରୱେ ସାମିଲ ହେବେ ବୋଲି ଜଣାପଡିଛି । ତେବେ ଏଥିରେ ୟୁକ୍ରେନରେ ଋଷର ଦମନଲୀଳା ସ୍ଥାନ ପାଇବ ।
ଅନ୍ୟପଟେ, ୟୁକ୍ରେନ୍ ଉପରେ ରୁଷ ଧ୍ୱଂସର ତାଣ୍ଡବଲୀଳା ରଚିଥିଲେ ମଧ୍ୟ ଦମ୍ଭ ହରାଇ ନାହାନ୍ତି ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ସେ କଦାପି ଭାଙ୍ଗିପଡ଼ିବେ ନାହିଁ ବରଂ ଲଢ଼େଇ ଜାରି ରଖିବେ। ୟୁକ୍ରେନକୁ ବିପୁଳ ସମର୍ଥନ ପାଇଁ ସେ ନିବେଦନ କରିବା ସହ ରୁଷ ଉପରେ ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଅପିଲ କରିଛନ୍ତି।