ଭୁବନେଶ୍ୱର,୩/୮(ସତ୍ୟପାଠ ବ୍ୟୁରୋ): କେରଳର ୱାୟାନାଡର ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସର୍ବଶେଷ ଅଦ୍ୟତନ ଅନୁଯାୟୀ କେରଳର ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁଛି।
ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଦିନ ଉତ୍ତର କମାଣ୍ଡର ଗୋଟିଏ ଜାଭର୍ ରାଡାର ଏବଂ ଦିଲ୍ଲୀର ତିରଙ୍ଗା ମାଉଣ୍ଟେନ୍ ରେସକ୍ୟୁ ଅର୍ଗାନାଇଜେସର ଚାରିଟି ରେକୋ ରାଡାର ସହିତ ବାୟୁସେନା ବିମାନରେ ୱାୟନାଡକୁ ଯୋଗାଇ ଦିଆଯାଇଛି।
ଏବେ ବି ପ୍ରାୟ ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଭୂସ୍ଖଳନ ପରେ ଏନ୍ଡିଆର୍ଏଫ୍ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍ଡିଏଫ୍ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏଥିସହ ଦଳର କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ବିଜେପି ମୁଖ୍ୟ ଜେପି ନାଡାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିର ଏକମାତ୍ର କେରଳ ସାଂସଦ କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।
“ୱାୟାନାଡ଼ର କିଛି ଅଂଶରେ ଭୂସ୍ଖଳନ ହେତୁ ମୁଁ ବିବ୍ରତ। ମୋର ସମବେଦନା ସେହି ସମସ୍ତଙ୍କ ସହ ଅଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ପ୍ରଭାବିତ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ସେଠାରେ ଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରର ସମ୍ଭାବ୍ୟ ସହାୟତା ଯୋଗାଇ ଦିଅଯିବ” ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।