
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନରେଗାରେ ଶହ ଶହ କୋଟି ଟଙ୍କାର ଦୁର୍ନିତି ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ସେପଟେ ବନୀକରଣ ହେଉ କି ପୋଖରୀ ମାଟି ଖନନ ହେଉ, ରାସ୍ତାଘାଟ ଉନ୍ନତୀକରଣ ହେଉ ମାଟି କାମ ସବୁଠି ଦୁର୍ନୀତି ହୋଇଥିବାର କଥା ସାମ୍ନାକୁ ଆସିବାରେ ଲାଗିଛି । ଏହି ଦୁର୍ନୀତି ଏକାଠି ହେଲେ ପାଖାପାଖି ଶହେ କୋଟିରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ଗାଁ ଗାଁରେ ଶ୍ରମିକମାନଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ଶ୍ରମିକମାନେ ପଞ୍ଚାୟତରୁ ବ୍ଲକ୍ ଅଫିସ୍ ଯାଏ ଘେରାଉ କରିଥିଲେ। ଏବେ ଗଇଁତି, କୁରାଢ଼ି ଧରି ଡିଆର୍ଡିଏ କାର୍ୟ୍ୟାଳୟ ଘେରାଉ କରିଛନ୍ତି। ‘ଆମେ ଦାଦନ ଯାଇନୁ, ଆମକୁ ମନରେଗା କାମ ଦିଅ’ ବୋଲି ଦାବି କରିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ମନରେଗାରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବଲାଙ୍ଗୀର ଜିଲ୍ଲାରେ ୧୪୯.୬୮ କୋଟି ଟଙ୍କା ମନରେଗା ଯୋଜନାରେ ଖର୍ଚ୍ଚ ହୋଇଥିଲା। ସେହିପରି ୨୦୨୦-୨୧ ବର୍ଷରେ ୩୭୬.୨୫କୋଟି ଟଙ୍କା ମନରେଗାରେ ଖର୍ଚ୍ଚ ହୋଇଥିଲା। ଆଉ ୨୦୨୧-୨୨ ବର୍ଷରେ ୩୫୪କୋଟି ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ହୋଇଥିଲା। ଅନ୍ୟପଟେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସରେ ୭କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଜିଲ୍ଲାରେ ମୋଟ ୭ଲକ୍ଷ ୫୮ହଜାର ୪୩୫ ଜଣ ଶ୍ରମିକ ମନରେଗା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ୨୦୩୧୭୨ ପରିବାର ଜବ୍କାର୍ଡ ପାଇଛନ୍ତି। ବର୍ଷକୁ ପ୍ରାୟ ୨୫ ହଜାର ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଉଥିବା ଏବଂ ୫ହଜାର ପରିବାରକୁ ୨୦୦ ଦିନରୁ ଅଧିକ କାମ ଦିଆଯାଉଥିବା ବିଭାଗୀୟ ତଥ୍ୟ କହୁଛି। ହେଲେ ବାସ୍ତବତା ପରଖିଲେ ମନରେଗାରେ ଦୁର୍ନୀତି କରିବାକୁ ଅନେକ ଗଳାବାଟ କରାଯାଇଛି।
ଆଉ ସେହି ଗଳାବାଟ ଦେଇ ଗାଁ ଗାଁରେ କରାଯାଉଛି ମନମାନି। ଠିକାଦାର ପୋଷଣ ନୀତିରେ ବଲାଙ୍ଗୀର ଜିଲ୍ଲାରେ ହେଉଛି ମନରେଗା କାମ। ଗତ ତିନି ବର୍ଷରେ ଅନେକ ମନରେଗା ଦୁର୍ନୀତି ସାମ୍ନାକୁ ଆସିସାରିଛି। କେଉଁଠି ସରପଞ୍ଚଙ୍କ ସ୍ୱାମୀ ଲାଞ୍ଚ ନେଉଥିଲେ ତ ଆଉ କେଉଁଠି ସରପଞ୍ଚମାନେ ବହୁ ଟ୍ରାକ୍ଟର ଓ ମାଟିଖୋଳା ଜେସିବି ମେସିନର ମାଲିକ। ଅନେକ ସ୍ଥାନରେ ଜନପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମିଳିଭଗତରେ ହୋଇଛି ମହାଦୁର୍ନୀତି। ଏହା ସହ କିଛି ଘଟଣାରେ ପ୍ରଶାସନ ତଦନ୍ତ କରିବାକୁ ବାଧ୍ୟ ହୋଇଛି। ତଦନ୍ତ ହେବାପରେ କାର୍ୟ୍ୟାନୁଷ୍ଠାନ ବି ହୋଇଛି। ହେଲେ, ତଳିଆ ବଳି ପଡ଼ିଛନ୍ତି। କିନ୍ତୁ ଖସିଯାଇଛନ୍ତି ବଡ଼ବଡ଼ିଆ। ଏବେବି ଜିଲ୍ଲାର ଅନେକ ତଦନ୍ତ ଫାଇଲ ପ୍ରାଶାସନିକ ବଡ଼ବଡ଼ିଆ ଅଧିକାରୀ ଚାପି ରଖିଛନ୍ତି। ବିଗତ ବର୍ଷର ସବୁ କାମର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଶହ ଶହ କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ। ମନରେଗା ଦୁର୍ନୀତି ପ୍ରତିବାଦରେ ଶ୍ରମିକମାନେ ରଫା, ଗଇଁତି, କୁରାଢ଼ି, ଭାର ଧରି ଆସି କାର୍ୟ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ମନରେଗାରେ କାମ ଦେବାକୁ ଦାବି କରିବା ସହ ଗାଁରେ ହେଉଥିବା ଦୁର୍ନୀତି ନେଇ ଗଣମାଧ୍ୟମକୁ ସବୁ କଥା ଜଣାଇଥିଲେ। ଶ୍ରମିକଙ୍କ କହିବାନୁସାରେ, ସୁଲେକେଲା ପଞ୍ଚାୟତରେ କାମ ସବୁ ଶ୍ରମିକମାନେ କରିନାହାନ୍ତି। ଠିକାଦାର ଧରି ଗାଁସାଥୀ ଓ ପଞ୍ଚାୟତ ଅଧିକାରୀ ସବୁ କାମ କରାଇ ଦେଉଛନ୍ତି। ଆଉ ଯେଉଁ ଶ୍ରମିକ ଘରେ ଅଛନ୍ତି, କିଛି ଜବ୍କାର୍ଡ ହାତେଇ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପକାଇ ସବୁ ହଡ଼ପ କରାଯାଉଛି। ଯାହାର ଜବ୍କାର୍ଡରେ କାମ ଦର୍ଶାଯାଉଛି ଓ ଆକାଉଣ୍ଟରେ ଟଙ୍କା ପକାଯାଉଛି, ସେମାନଙ୍କୁ ବି କିଛି କିଛି ଟଙ୍କା ଦେଉଥିବାରୁ ସେମାନେ ସବୁ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ପଂଚାୟତରେ ପ୍ରକୃତ ଶ୍ରମିକ କାମ ମାଗିଲେ ମଧ୍ୟ ସେମାନଙ୍କୁ କାମ ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି। ଏଣୁ ପଞ୍ଚାୟତରେ ପାଖାପାଖି ଦୁଇଶହ ଶ୍ରମିକ ଆସି ଆଜି କହିଥିଲେ, ‘ମନରେଗାରେ କାମ କରିବା ଆଶାରେ ଆମେ ଦାଦନ ଯାଇନୁ। ଏଣୁ ଆମକୁ କାମ ଯୋଗାଇ ଦିଅ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।