
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିଷକୁ ପଶୁ ଇଞ୍ଜେକସନ ଦେବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନି । ସେପଟେ ଏଭଳି ଏକ ଅଭାବୀନୟ ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ମହୁଲଡ଼ିହାରେ । ଦୁଇ ଜଣ ବ୍ୟକ୍ତିଙ୍କୁ ଅଣ୍ଟା ବଥା ପାଇଁ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ୍ ଦିଆଯାଇଥିଲା । ଏହା ମଧ୍ୟରେ ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ଠାରୁ କାର୍ୟ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନ୍କୁ ବିଚାରକୁ ନେଇ ଆୟୋଗ ଉପରୋକ୍ତ ତିନି ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।
ଦୁର୍ଗମ ଅଂଚଳମାନଙ୍କରେ ସ୍ବାସ୍ଥ୍ୟସେବାର ଚରମ ଅଭାବ ଯୋଗୁ ନିରୀହ ଲୋକମାନେ କ୍ବାକ୍ମାନଙ୍କ ଦ୍ବାରସ୍ଥ ହେଉଛନ୍ତି ବୋଲି ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ଏଭଳି ଘଟଣା ଉପରେ ରୋକ୍ ଲଗାଇବାରେ ସ୍ବାସ୍ଥ୍ୟ ବିଭାଗ, ସ୍ଥାନୀୟ ପ୍ରଶାସନ ବିଫଳ ହୋଇଛନ୍ତି। ମାମଲାର ନିରପେକ୍ଷ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆବେଦନକାରୀ ଅନୁରୋଧ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।