ନୂଆଦିଲ୍ଲୀ : ନେସନାଲ ହେରାଲ୍ଡ ମାମଲାରେ ଇଡି ଦ୍ୱାରା ଜେରାର ସମ୍ମୁଖୀନ ହେଉଛନ୍ତି ରାହୁଲ୍ ଗାନ୍ଧୀ । ଆଜି ତୃତୀୟ ଦିନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ଏହାକୁ ବିରୋଧ କରି ତୃତୀୟ ଦିନ ମଧ୍ୟ ଇଡି ଅଫିସ ବାହାରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲା କଂଗ୍ରେସ।
୩ଦିନ ଧରି ରାହୁଲଙ୍କ ପଚରାଉଚରା ଚାଲିଥିବା ବେଳେ ୟଙ୍ଗ ଇଣ୍ଡିଆନରୁ ଗୋଟିଏ ପଇସା ମଧ୍ୟ ଆମେ ନେଇନାହୁଁ ବୋଲି ରାହୁଲ କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ନ୍ୟାସନାଲ ହେରାଲଡକୁ କିଣିଥିବା ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତା ସହ ଜଡିତ ପ୍ରଶ୍ନ ରାହୁଲ ଗାନ୍ଧିଙ୍କୁ ଇଡି ପଚାରିଥିବା ବେଳେ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରୁ ଗୋଟିଏ ପଇସା ମଧ୍ୟ ଆମେ ନେଇନାହୁଁ।
ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ଏକ ଅଣ-ଲାଭକାରୀ ସଂସ୍ଥା ଭାବେ କମ୍ପାନି ଆକ୍ଟର ସ୍ବତନ୍ତ୍ର ଧାରାରେ ପଞ୍ଜୀକୃତ ହୋଇଥିଲା ବୋଲି ରାହୁଲ କହିଥିବା ସାମ୍ନାକୁ ଆସିଛି। ନିଜ ବୟାନର ସତ୍ୟତା ପ୍ରତିପାଦିତ କରିବାକୁ ରାହୁଲଙ୍କୁ ପ୍ରମାଣ ମାଗିଛି ଇଡି।
ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧି ଓ ରାହୁଲ୍ ଗାନ୍ଧି ଜମି ସହ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ‘ବିଜେପି’ ସାଂସଦ ସୁବ୍ରମଣିୟାନ୍ ସ୍ବାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିବା ପରେ ‘ନ୍ୟାସ୍ନାଲ୍ ହେରାଲଡ୍’ ମାମଲା ଲୋକଲୋଚନକୁ ଆସିଥିଲା। ଏହା ପରେ ସୋନିଆ ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କୁ ସମନ ଜାରି କରିଥିଲା ଇଡି।
