୧୨ ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଫଳରେ ୟୁକ୍ରେନ ରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଚାରିଆଡ଼େ ନିଆଁ ଜଳୁଥିବା ବେଳେ, ଗୁଳିମାଡ଼ ଓ ରକେଟ ମାଡରେ ପରିବେଶ ଦୁଆଁ ମୟ ହୋଇଯାଇଛି ।
ସେପଟେ ରୁଷ ସେନାର କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା । ଋଷ ସେନାକୁ ମୁହଁତୋଡ ଜବାବ ଦେବାରେ ଲାଗିଛନ୍ତି । ରୁଷର ୧୦୦ଟି ଯୁଦ୍ଧ ବିମାନରୁ ୪୦ଟି ମାରି ଖସାଇଥିବା ୟୁକ୍ରେନ୍‌ ଦାବି କରିଛି। ୟୁକ୍ରେନ୍‌ରେ ରୁଷ କାଲିବ୍ର ମିସାଇଲ ନିକ୍ଷେପ କରୁଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ମୁଖ୍ୟ ଷ୍ଟାଫ୍‌ ପରାମର୍ଶଦାତା ଏହା କହିଛନ୍ତି। ତେବେ ୟୁକ୍ରେନ୍‌ରେ ରୁଷ ୧୦୦ରୁ ଅଧିକ ଯୁଦ୍ଧ ବିମାନ ବ୍ୟବହାର କରି ନାହିଁ। ସେଥିରୁ ୟୁକ୍ରେନ୍‌ ସେନା ୪୦ଟି ମାରି ଖସାଇଥିବା ସେ କହିଛନ୍ତି ।

ଅନ୍ୟପଟେ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରି ଆସୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ସେ ଆଜି କହିଛନ୍ତି ଯେ, ଆମେ ଆକ୍ରମଣକୁ ଭୁଲିପାରିବୁ ନାହିଁ କି କ୍ଷମା ଦେଇ ପାରିବୁ ନାହିଁ। ଯେଉଁମାନେ ଆମ ଲୋକଙ୍କୁ ହତ୍ୟା କରୁଛନ୍ତି କାହାକୁ ଛାଡ଼ିବୁନି। ସମସ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି ଜେଲେନସ୍କି ଚେତାଇ ଦେଇଛନ୍ତି। ଆମ ମାଟିରେ ନରସଂହାର ଜାରି ରଖିଥିବା ଆକ୍ରମଣକାରୀଙ୍କୁ ଭୁଲିବୁ ନାହିଁ କି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ଜେଲେନସ୍କି କହିଛନ୍ତି।