ଭିଟାମାଟିକୁ ଫେରିଲେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ: ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଯୁଦ୍ଧ ପ୍ରବଣ ୟୁକ୍ରେନ୍‌ରୁ ସୁରକ୍ଷିତ ଭାବେ ଫେରିଛନ୍ତି ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଯାଇଥିବା ବେଳେ ଓଡିଆ ଛାତ୍ରଛାତ୍ରୀ ନିଜ ଭିଟାମାଟିକୁ ଫେରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସେମାନଙ୍କୁ ସ୍ବାଗତ କରିଛନ୍ତି ।

ୟୁକ୍ରେନରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଲୁହ । ହୃଦୟରେ ଆସିଥିଲା ଆଶ୍ବସ୍ତି । ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସେମାନେ ଆଗକୁ ଯେପରି ପାଠ ପଢିପାରିବେ । ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ । ଦୁଇଟି ବସ୍ ଯୋଗେ ସେମାନଙ୍କୁ ସେଠାରୁ ନିରାପଦ ଭାବେ ଉଦ୍ଧାର କରାଯାଇଥିଲା । ଏତଦ୍‌ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରିବାପାଇଁ ରବିବାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Related Posts