ଆକ୍ରମଣକାରୀ ରୁଷକୁ ରୋକିବା ପାଇଁ କଡ଼ା ଆଇନ ଆଣିବାକୁ ଯାଉଛନ୍ତି ନ୍ୟୁଜିଲ୍ୟାଣ୍ଡ ସରକାର: ପୁଞ୍ଜି ନିବେଶ ଓ ପ୍ରବେଶ ଉପରେ ଲାଗିବ କଟକଣା

ଆଜିକୁ 12 ଦିନରେ ପହଂଚିଛି ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ଆକ୍ରୋଶ ମୂଳକ ଭାବେ କାହାକୁ ବି ଖାତିର ନ କରି ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ୟୁକ୍ରେନ ର ସ୍ଥିତି ଏବେ ଜଟିଳ ହୋଇପଡ଼ିଥିବା ବେଳେ, ଋଷ କୁ ରୋକିବା ନେଇ ଅନେକ ପଶ୍ଚିମ ଦେଶ ପକ୍ଷରୁ ଆର୍ଥିକ, ବ୍ୟବସାୟିକ ଓ ସାମରିକ କଟକଣା ଲାଗୁ ହୋଇଛି । ମାତ୍ର ତଥାପି ରୁଷ ତା’ର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରୁନାହିଁ। ବରଂ ଆକ୍ରମଣକୁ ଆହୁରି ଜୋରଦାର କରି ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି।

ଏସବୁ ଭିତରେ ନ୍ୟୁଜିଲ୍ୟାଣ୍ଡ ସରକାର ଗୋଟିଏ କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଯେଉଁ ଆଇନରେ ଆକ୍ରମଣକାରୀ ରୁଷ ଉପରେ କଠୋର କଟକଣା ଲାଗୁ କରିବାର ପ୍ରାବଧାନ ରହିବ। ନୂଆ ଆଇନରେ ସମ୍ପତ୍ତି ଜବତ ଠାରୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବା ପାଇଁ ନ୍ୟୁଜିଲ୍ୟାଣ୍ଡ ସରକାର ସ୍ୱତନ୍ତ୍ର କ୍ଷମତା ପାଇବେ। ଆଜି ଏ ସମ୍ପର୍କରେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ସୂଚନା ଦେଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ ରୁଷ ବିରୋଧରେ ପ୍ରସ୍ତାବ ଆଣୁଥିଲେ ମଧ୍ୟ ଏଥିରେ ସଫଳତା ମିଳୁନାହିଁ। କାରଣ ରୁଷ ପାଖରେ ଭିଟୋ ପାୱାର ଥିବାରୁ ସେ ଏହାକୁ ବ୍ୟବହାର କରି ସବୁ ପ୍ରସ୍ତାବକୁ ଅକାମୀ କରି ଦେଉଛି। ଜାସିଣ୍ଡା କହିଛନ୍ତି, ନୂଆ ଆଇନରେ ରୁଷର କମ୍ପାନୀ ଓ ରୁଷ ସହ ଜଡ଼ିତ ଲୋକଙ୍କ ସମ୍ପତ୍ତିକୁ ଜବତ କରିବାର ବ୍ୟବସ୍ଥା ରହିବ। ଯେଉଁଥିରେ ଅତି ଧନୀ ବର୍ଗର ଲୋକଙ୍କ ସମ୍ପତ୍ତି ମଧ୍ୟ ରହିଛି। ନ୍ୟୁଜିଲ୍ୟାଣ୍ତ ସରକାର ନୂଆ ଆଇନ ବଳରେ ସବୁ ସମ୍ପତ୍ତିକୁ ଜବତ କରିପାରିବେ।

ଏଥିସହ ବଡ଼ବଡ଼ ଜାହାଜର ପ୍ରବେଶ ଓ ବିମାନ ଉଡ଼ାଣ ଉପରେ ମଧ୍ୟ ରୋକ ଲଗାଇ ପାରିବେ। ଏପରିକି ରୁଷର ଆକ୍ରମଣରେ ସହାୟତା କରୁଥିବା ବେଲାରୁଷ ଭଳି ଦେଶଗୁଡ଼ିକ ଉପରେ ମଧ୍ୟ ଏହି କଟକଣା ଜାରି କରାଯିବ।

Related Posts