ଦୁର୍ବଳ ହେଉଛି ଶ୍ରୀମନ୍ଦିରର ଗରୁଡ଼ ସ୍ତମ୍ଭ, ଆଚ୍ଛାଦିତ ହେବ ରୂପା ଚାଦର !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭକ୍ତଙ୍କ ସ୍ପର୍ଶ ଯୋଗୁ ଦୁର୍ବଳ ହେଉଛି ଶ୍ରୀମନ୍ଦିରର ଗରୁଡ଼ ସ୍ତମ୍ଭ। ଏଥିପାଇଁ ନାଟମଣ୍ଡପ ସ୍ଥିତ ଗରୁଡ଼ ସ୍ତମ୍ଭକୁ ରୂପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ପ୍ରସ୍ତାବ ରଖାଯାଇଛି।

ଏହାସହ ଗରୁଡ଼ ସ୍ତମ୍ଭଟିକୁ ଶ୍ରଦ୍ଧାଳୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି। ଏହାର ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ୍ ଉପରେ ରୂପା ଚାଦର ଆଚ୍ଛାଦନ କରାଯିବ। ଏଥିପାଇଁ ୧୩୦ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ଗତକାଲି ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପରେ ଏହି ସବୁ ପ୍ରସ୍ତାବ ରଖାଯାଇଥିଲା।

ତେବେ ଭାରତ ସରକାରଙ୍କ ପୂର୍ବତନ ନିର୍ଦ୍ଦେଶକ ଏସ.କେ. ପଟେଲଙ୍କ ସୂଚନା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ତିଆରି। ଗରୁଡ ସ୍ତମ୍ଭକୁ ଭକ୍ତମାନଙ୍କଠାରୁ ପ୍ରତ୍ୟକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବା ଦରକାର। ଏଣୁ ଗରୁଡ଼ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ ଉପରେ ରୂପା ଚାଦର ଆଚ୍ଛାଦନ ପାଇଁ ପ୍ରସ୍ତାବ ରଖାଯାଇଛି। ପଶ୍ଚିମବଂଗର ଜଣେ ବ୍ୟକ୍ତି ଏହି କାର୍ଯ୍ୟ ସମ୍ପାଦନ ପାଇଁ ରାଜି ହୋଇଥିବା ସୂଚନା ମିଳିଛି।

ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ ୫ଟାରୁ ୯ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Related Posts