ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା; ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା କାରଣରୁ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ‘ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ’ର ପୂର୍ବତନ ସଭାପତି ତଥା ପଲାସୀପଡ଼ାର ‘ତୃଣମୂଳ କଂଗ୍ରେସ’ର ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି। ତେବେ ଗତ ଜୁନ୍‌ ମାସରେ କୋଲକାତା ହାଇକୋର୍ଟ ତାଙ୍କୁ ‘ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ’ର ସଭାପତି ପଦରୁ ହଟାଇ ଦେଇଥିଲେ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ପରେ ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ବିତୀୟ ହାଇ-ପ୍ରୋଫାଇଲ୍‌ ତୃଣମୂଳ କଂଗ୍ରେସ ବିଧାୟକ। ତେବେ ଏହି ଦୁର୍ନୀତି ମାମଲାରେ ତାଙ୍କର ଭୂମିକା ଥିବାରୁ ଅଗଷ୍ଟ ମାସରେ ‘ସିବିଆଇ’ ଭଟ୍ଟାଚାର୍ଯ୍ୟଙ୍କ ନାଁରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଥିଲା। ତେବେ ଗତକାଲି ସେ ଇଡି ନିକଟରେ ହାଜର ହୋଇଥିବା ବେଳେ ତାଙ୍କୁ ପଚାରଉଚରା କରାଯାଇଥିଲା ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଆଜି ପ୍ରଥମେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯିବା ପରେ ଅଦାଲତରେ ହାଜର କରାଯିବ।

ଏହାଛଡ଼ା, ଉକ୍ତ ମାମଲାରେ ‘ସିବିଆଇ’ ମଧ୍ୟ ପଶ୍ଚିମବଙ୍ଗର ପୂର୍ବତନ ସ୍କୁଲ୍‌ ସର୍ଭିସ୍‌ କମିସନ୍‌ ଉପଦେଷ୍ଟା ଶାନ୍ତିପ୍ରସାଦ ସିହ୍ନା, ପଶ୍ଚିମବଙ୍ଗର ପୂର୍ବତନ ସ୍କୁଲ୍‌ ସର୍ଭିସ୍‌ କମିସନ୍‌ ସଭାପତି ଅଶୋକ ଶାହା ଏବଂ ପଶ୍ଚିମବଙ୍ଗର ପୂର୍ବତନ ସ୍କୁଲ୍‌ ସର୍ଭିସ୍‌ କମିସନ୍‌ ଅଧ୍ୟକ୍ଷ କଲ୍ୟାଣମୟ ଗାଙ୍ଗୁଲୀଙ୍କୁ ଗିରଫ କରିଛି।

Related Posts