କର୍ଣ୍ଣାଟକ ସରକାର ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାର: ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି। ତାମିଲନାଡ଼ୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଏହି ଅବସରରେ ସୋମବାର କର୍ଣ୍ଣାଟକର ହିରିୟରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, କର୍ଣ୍ଣାଟକ ସରକାର ହେଉଛନ୍ତି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାର। ଏହି ସରକାର ପ୍ରତ୍ୟେକ କାରବାର ଉପରେ ୪୦% କମିଶନ ଆଦାୟ କରନ୍ତି। ରାଜ୍ୟର ୧୩,୦୦୦ ଘରୋଇ ବିଦ୍ୟାଳୟରୁ କର୍ଣ୍ଣାଟକ ସରକାର ୪୦% କମିଶନ ଆଦାୟ କରିଛନ୍ତି ବୋଲି ରାହୁଲ କହିଛନ୍ତି।

ରାହୁଲ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ”ମୁଁ କେବଳ କର୍ଣ୍ଣାଟକରେ ଦୁର୍ନୀତି ବିଷୟରେ କହୁନାହିଁ, ବରଂ ବିଜେପି ବିଧାୟକ ନିଜେ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ବିଜେପି ବିଧାୟକ ନିଜେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦବୀକୁ ୨୫୦୦ କୋଟି ଟଙ୍କାରେ କିଣାଯାଇପାରିବ। କର୍ଣ୍ଣାଟକରେ ଚାକିରି ବିକ୍ରି ହେଉଛି। ଏଠାରେ ପୋଲିସ ସବ୍ ଇନ୍ସପେକ୍ଟର ପଦ ୮୦ ଲକ୍ଷରେ ବିକ୍ରି ହୋଇଛି। ସହକାରୀ ପ୍ରଫେସରମାନଙ୍କ ଠାରୁ ଆରମ୍ଭ କରି ଇଞ୍ଜିନିୟର ପଦବୀ ସବୁ ଏଠାରେ ବିକ୍ରି ହୁଏ ବୋଲି ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି ଯେ, ଭାରତରେ ଆଉ ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ । ଏଠାରେ ଲକ୍ଷ ଲକ୍ଷ ଯୁବକ ବେକାର, ଦର ବୃଦ୍ଧି ହେତୁ ସମସ୍ତ ଦେଶବାସୀ ଚିନ୍ତାଗ୍ରସ୍ତ, କୃଷକ ଠାରୁ ଆରମ୍ଭ କରି ଗୃହିଣୀ ପର୍ଯ୍ୟନ୍ତ ସମସ୍ତେ ଏବେ କଷ୍ଟରେ ଅଛନ୍ତି। ଏହାରି ବିରୋଧରେ ଆମର ଲଢେଇ ଆଗକୁ ଆହୁରି ଜୋରଦାର ହେବ ବୋଲି ରାହୁଲ କହିଛନ୍ତି।

Related Posts