ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଟିଏମସି ସରକାରର ପରାଜୟ ହୋଇଛି । ବିଜେପି ୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ। ଏହା ମଧ୍ୟରେ ଆସନ୍ତା ମେ’ ୯ରେ ପଶ୍ଚିମବଙ୍ଗକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ଏନେଇ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୯ ତାରିଖ ନୋବେଲ ବିଜେତା ତଥା ବିଶ୍ୱଗୁରୁ ରବିନ୍ଦ୍ର ନାଥ ଟାଗୋରଙ୍କ ଜନ୍ମ ବାର୍ଷିକି । ଏହି ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଛି । ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ତାରିଖ ବାବଦରେ ସ୍ପଷ୍ଟ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପାଇଁ ଦୌଡ଼ରେ ଥିବା ନାମ ଗୁଡ଼ିକ ହେଲା ।
ପ୍ରଥମରେ ଶୁଭେନ୍ଦୁ ଅଧିକାରୀ:
ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାମ ସବୁଠାରୁ ଆଗରେ ରହିଛି। ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇ ସେ ନିଜର ଶକ୍ତି ପ୍ରମାଣିତ କରିଛନ୍ତି। ତାଙ୍କର ଦୃଢ଼ ସାଙ୍ଗଠନିକ ଦକ୍ଷତା ତାଙ୍କୁ ଜଣେ ଶକ୍ତିଶାଳୀ ଦାବିଦାର ଭାବେ ଉଭା କରିଛି।
ଦ୍ୱିତୀୟରେ ଦିଲୀପ ଘୋଷ:
ବିଜେପିର ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦଳ ଭିତରେ ତାଙ୍କର ପତିଆରା ବେଶ୍ ଅଧିକ। ଦଳ ତାଙ୍କୁ ମଧ୍ୟ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରିପାରେ।
ତୃତୀୟରେ ସମୀକ ଭଟ୍ଟାଚାର୍ଯ୍ୟ:
ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଦଳ ଏହି ବଡ଼ ବିଜୟ ହାସଲ କରିଛି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ଚତୁର୍ଥରେ ଅଗ୍ନିମିତ୍ରା ପଲ୍ ଏବଂ ରୂପା ଗାଙ୍ଗୁଲି:
ମହିଳା ଚେହେରା ଭାବେ ଅଗ୍ନିମିତ୍ରା ପଲ୍ ଏବଂ ରୂପା ଗାଙ୍ଗୁଲିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ରୂପା ଗାଙ୍ଗୁଲି ମହିଳା ମୋର୍ଚ୍ଚାର ସଭାପତି ଭାବେ ତୃଣମୂଳ ସ୍ତରରେ କାମ କରିଥିବା ବେଳେ ଅଗ୍ନିମିତ୍ରା ଜଣେ ସ୍ପଷ୍ଟବାଦୀ ନେତ୍ରୀ ଭାବେ ଜଣାଶୁଣା।
