ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଦୁର୍ଭାଗ୍ୟଜନକ କହିଛନ୍ତି। ରାଜ୍ୟପାଳ ହେଉଛନ୍ତି ରାଜ୍ୟର ପ୍ରଥମ ନାଗରିକ, ସେ ଅଭିଭାଷଣ ଦେବା ସମୟରେ ବିରୋଧୀଙ୍କ ହଙ୍ଗାମା ଗଣତନ୍ତ୍ର ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି। ସେହିଭଳି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କହିଛନ୍ତି ଯେ, ଯାହାଙ୍କ ନାଁରେ ୧୬ଟି ଅପରାଧିକ ମାମଲା ରହିଛି, ତାଙ୍କ ଠାରୁ ଆଉ କଣ ବା ଆଶା କରିବା। ଯିଏ ନିଜ ଦଳର ସଭାପତିଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ, ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ମାରିଲେ ତାଙ୍କ ଠାରୁ କିଛି ଭଲ ଆଶା କରାଯାଇ ନପାରେ। ବିଜେପି ଜୟନାରାୟଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା ବୋଲି ସେ କହିଛନ୍ତି।

ପ୍ରଶାନ୍ତ ଆହୁରି କହିଛନ୍ତି ଯେ, ବିଜେପି ସୁରକ୍ଷାର କଥା କହୁଛି। କିନ୍ତୁ ବିଜେପିର ନେତା ପ୍ରଥମେ ବିରୋଧୀ ଦଳ ନେତାଙ୍କ ଠାରୁ ଦୂରେଇ ରୁହନ୍ତୁ। ମାନସିକ ସନ୍ତୁଳନ ଠିକ୍ ଥିବା ବ୍ୟକ୍ତି ଏମିତି କେବେ କରନ୍ତିନି। ତେଣୁ ସାମ୍ବାଦିକ ଭାଇମାନେ ମଧ୍ୟ ଜୟନାରାୟଣଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି। ସେହିଭଳି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଶାନ୍ତ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଉପରେ ବିଜେଡି ବିଶ୍ୱାସ କରେ। ସରକାର ହାଇକୋର୍ଟ ଯାଇଥିଲେ। ଜଷ୍ଟିସ ଜେପି ଦାସଙ୍କ ତଦାରଖରେ ଏହି ତଦନ୍ତ ଚାଲିଛି। ଯାହାର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ମାନବୋଧ ଥିବ ସେ ଏଭଳି ତଦନ୍ତକୁ ଅସ୍ୱୀକାର କରିବନି ବୋଲି ପ୍ରଶାନ୍ତ କହିଛନ୍ତି।