ଡର୍ଟି ବମ’ କଣ ? ଏହା କେତେ ଭୟଙ୍କର ? ୟୁକ୍ରେନ ଉପରେ ତିଆରିର ଅଭିଯୋଗ ଆଣିଛି ଋଷିଆ

ନୂଆଦିଲ୍ଲୀ : ୟୁକ୍ରେନ ‘ଡର୍ଟି ବମ’ ତିଆରି କରିଛି । ଏପରି କିଛି ଅଭିଯୋଗ ଆଣିଛି ଋଷିଆ। ଏହା ପରଠାରୁ ସାରା ବିଶ୍ୱରେ ଡର୍ଟି ବମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଋଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଏ ନେଇ ଭାରତ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବିଶ୍ୱର ବିଭିନ୍ନ ଦେଶର ରକ୍ଷାମନ୍ତ୍ରୀଙ୍କ ସହ ଏ ନେଇ ଟେଲିଫୋନର ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ଡର୍ଟି ବମର ଉପଯୋଗ କରିପାରେ। ତେବେ ୟୁକ୍ରେନ କେଉଁ ପ୍ରକାରର ଡର୍ଟି ବମ କରିଛି ସେ ନେଇ କିନ୍ତୁ ଋଷିଆ ନିକଟରେ କୌଣସି ପ୍ରମାଣ ନାହିଁ।

ତେବେ ଋଷିଆର ଅଭିଯୋଗକୁ ପାଶ୍ଚାତ୍ୟ ଦେଶମାନେ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ଋଷିଆ ଯୁଦ୍ଧରେ ଡର୍ଟି ବମର ଉପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଓ ଏଥି ଲାଗି ସେ ବିଶ୍ୱକୁ ସତର୍କ ମଧ୍ୟ କରିଛନ୍ତି। ବାସ୍ତବରେ ଯୁଦ୍ଧରେ ଋଷିଆ ଏବେ ଡର୍ଟି ବମ ବ୍ୟବହାର କରୁଥିବା ସେ କହିଛନ୍ତି।

ତେବେ ଆସନ୍ତୁ ଜାଣିବା ଡର୍ଟିବମ କ’ଣ?

ଡର୍ଟିବମ ମଧ୍ୟ ଏକପ୍ରକାର ପରମାଣୁ ଅସ୍ତ୍ର। ପରମାଣୁ ବୋମା ପରି ଏହା ଯୋଗୁ ବହୁତ ବଡ଼ ପ୍ରଳୟ ହୋଇ ନପାରେ ହେଲେ ଏଥିରେ ଥିବା ରେଡିଓଲଜିକାଲ ପଦାର୍ଥ ବ୍ୟାପିବା ଯୋଗୁ ଏହା ବଡ ଧରଣର ବିନାଶ କରିପାରେ। ଏହାର ବିସ୍ଫୋରଣ ମଣିଷର ଚିନ୍ତା ଶକ୍ତିକୁ ପ୍ରଭାବିତ କରିପାରେ । ଏହା ଏପରି ଏକ ଯନ୍ତ୍ର ବିସ୍ତିର୍ଣ୍ଣ ଅଞ୍ଚଳରେ ରେଡିଓଧର୍ମୀ ପଦାର୍ଥ ପରିବ୍ୟାପ୍ତ କରିଥାଏ। ରେଡିଓ ଆକ୍ଟିଭ ବ୍ୟାପିବା ଯୋଗୁ ବହୁସଂଖ୍ୟାରେ ଲୋକେ ହତାହତ ହୋଇଥାନ୍ତି।

ଡର୍ଟି ବମରେ ସାଧାରଣ ବୋମା ପରି ବିସ୍ଫୋରକ ରହିଥାଏ। ଏହା ସହିତ ରେଡିଓଆକ୍ଟିଭ ମେଟେରିଆଲକୁ ମଧ୍ୟ ମିଶା ଯାଇଥାଏ। ଏଣୁ ଏହି ବୋମା ବିସ୍ଫୋରଣ ହେଲେ ଆଖପାଖରେ ରେଡିଓ ଆକ୍ଟିଭ ବ୍ୟାପିବା ଯୋଗୁ ପ୍ରଳୟ ସୃଷ୍ଟି ହୋଇଥାଏ। ଡର୍ଟି ବମ ତିଆରି କରିବା ସହଜ ଓ ଶସ୍ତା ପଡିଥାଏ। ଏଥିରେ ଟିଏନଟି ଭଳି ବିସ୍ଫୋରକର ବ୍ୟବହାର ହୋଇଥାଏ।

ପାରମ୍ପରିକ ପରମାଣୁ ବୋମା ବାସ୍ତବିକ ପ୍ରଳୟଙ୍କରୀ। ଏଥିରେ ଏକ ସହର ଭଳି ବଡ ଜାଗାକୁ ବିଧ୍ୱଂସ କରାଯାଇପାରେ। ତେବେ ଏହା ତୁଳନାରେ ଡର୍ଟିବମ ଏତେ ବିନାଶ କରିପାରେନି ହେଲେବି ଏଥିରୁ ବିସ୍ତୃତ ଅଞ୍ଚଳରେ ରେଡିଓଆକ୍ଟିଭ ବର୍ଯ୍ୟ ବ୍ୟାପିବା ସାଙ୍ଗକୁ ମଣିଷ ଲାଗି ବିପଦଜନକ ହୋଇଥାଏ। ତେବେ ଡର୍ଟି ବମ କେତେ ବିପଦଜନକ ଏହା ସହ ମିଶା ଯାଇଥିବା ରେଡିଓଆକ୍ଟିଭ ପରିମାଣ ଓ ବାୟୁ ବହୁଥିବା ଦିଗ ଉପରେ ନିର୍ଭର କରେ।

ଡର୍ଟିବମକୁ ସାମୂହିକ ବିନାଶର ଅସ୍ତ୍ର ବୋଲି ମନେ କରାଯାଏ। ତେବେ ଯୁଦ୍ଧ ମୈଦାନରେ ଏପରି ଅସ୍ତ୍ରର ଫାଇଦା କ୍ୱଚିତ ମିଳିଥାଏ। ହେଲେ ସହରାଞ୍ଚଳରେ ଡର୍ଟି ବମ ବିସ୍ପୋରଣ କରି ଆତଙ୍କ ସୃଷ୍ଟି କରାଯାଇପାରେ। ବୋମାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବ୍ୟାପିବା ସହ ଲୋକେ ପ୍ରାଣ ବଞ୍ଚାଇ କିଏ କୁଆଡେ ପଳାୟନ କରନ୍ତି ।

Related Posts