କାଶ୍ମୀର ଜଳୁଛି ହେଲେ କେନ୍ଦ୍ର ସରକାର ଫିଲ୍ମ ପ୍ରମୋଶନ କରିବାରେ ସୀମିତ ରହିଯାଇଛନ୍ତି: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ହିନ୍ଦୁମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବାରେ ଲାଗିଛନ୍ତି । ଯାହାଫଳରେ ଉପତ୍ୟକା ଛାଡ଼ି ହିନ୍ଦୁମାନେ ପଳାୟନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ଦିଲ୍ଲୀରେ ବସିଥିବା ସରକାର ଚଳଚ୍ଚିତ୍ର ପ୍ରମୋସନ କରିବାରେ ବ୍ୟସ୍ତଥିବାବେଳେ କାଶ୍ମୀର ଜଳୁଛି । ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ହେଲେ କେନ୍ଦ୍ର ସରକାର କେବଳ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ରହିଯାଇଛନ୍ତି । କାଶ୍ମୀରର ପଣ୍ଡିତଙ୍କୁ କେନ୍ଦ୍ର ସରକାର କେବଳ ସ୍ୱପ୍ନ ଦେଖାଇଛନ୍ତି । ବର୍ତ୍ତମାନ କାଶ୍ମୀରର ସ୍ଥିତି ନିୟନ୍ତ୍ରଣ ବାହାରେ ଚାଲିଯାଇଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ଏହା ସହ ସରକାର ଦିଲ୍ଲୀରେ ବସି ଆଲୋଚନା ବ୍ୟତୀତ ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରିବାକୁ ସକ୍ଷମ ହୋଇ ପାରିନାହାନ୍ତି । କାଶ୍ମୀରରେ କାଶ୍ମୀର ପଣ୍ଡିତ ଏବଂ ହିନ୍ଦୁ ସମାଜ ସହିତ ଦେଶର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ମୁସଲମାନ ଭାଇମାନଙ୍କୁ ହତ୍ୟା କରାଯାଉଛି । ଏପରିକି ସରକାରୀ ଚାକିରିରେ ନିୟୋଜିତ ଥିବା ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ହିନ୍ଦୁମାନଙ୍କ ସହିତ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ମୁସଲମାନ କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରୁଛନ୍ତି । ହେଲେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts