କାହାକୁ ଜନତା ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି ? ଜାଠଙ୍କ ପସନ୍ଦ ଯୋଗୀ ନା ଅଖିଳେଶ ? ମୁସଲମାନ-ଯାଦବ-ବ୍ରାହ୍ମଣ କାହାକୁ ଦେବେ ଭୋଟ ?

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥର କ୍ଷମତାକୁ ଆସିବା ପାଇଁ ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧୀ ପର୍ଯ୍ୟନ୍ତ ସମସ୍ତେ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ରାଜନୈତିକ ଦଳମାନେ ଏଥିପାଇଁ ନିଜର ଷ୍ଟାର ପ୍ରଚାରକମାନଙ୍କ ଲିଷ୍ଟ ମଧ୍ୟ ଜାରିକରିବାରେ ଲାଗିଛନ୍ତି । ନେତାମାନେ ବିଭିନ୍ନ ସ୍କିମ ନେଇ ଲୋକମାନଙ୍କ ପାଖକୁ ଯାଉଛନ୍ତି । କିଏ ବିଦ୍ୟୁତ ଫ୍ରି କରିଦେବାର ପ୍ରତିଶୃତି ଦେଉଛି ତ ଆଉ କିଏ କୃଷକମାନଙ୍କ ପାଇଁ ବଡ଼ ଘୋଷଣା କରୁଛି । ସେପଟେ ଉତ୍ତରପ୍ରଦେଶରେ କ୍ଷମତାକୁ ଆସିବା ପାଇଁ ସମସ୍ତ ରାଜନୈତିକ ଦଳମାନେ ଆପ୍ରାଣ ଉଦ୍ୟମ କରିବାରେ ଲାଗିଛନ୍ତି । ତେବେ ଉତ୍ତରପ୍ରଦେଶ ରାଜନୀତି ସବୁବେଳେ କୌତୁହଳପୂର୍ଣ୍ଣ ହୋଇଥାଏ । କାହିଁକିନା ଉତ୍ତରପ୍ରଦେଶରେ କ୍ଷମତାକୁ ଆସିବାମାନେ ଦେଶର ରାଜନୀତିରେ ନିଜର ଦବଦବାକୁ ଜାହିର କରିବା । ଏହା ମଧ୍ୟରେ ଉତ୍ତରପ୍ରଦେଶରେ ବିଭିନ୍ନ ଜାତିକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି ।

ଏପରିକି ଉତ୍ତରପ୍ରଦେଶରେ ଶକ୍ତି ପାଇବା ପାଇଁ ପ୍ରତ୍ୟେକ ଦଳ ଜାତି ଗଣିତ ଅନୁଯାୟୀ ଏହାର ସମୀକରଣ ସ୍ଥିର କରିବାରେ ଲାଗିଛନ୍ତି । କିନ୍ତୁ ଏହି ଜାତିମାନଙ୍କର ହୃଦୟରେ କିଏ ଅଛନ୍ତି ? କାହାକୁ ଏଥର କ୍ଷମତାକୁ ଆଣିବେ ? ସେନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି । ତେବେ ଉତ୍ତରପ୍ରଦେଶରେ ବ୍ରାହ୍ମଣ, ମୁସଲମାନ, ଜାଟ, ଯାଦବ, କୁର୍ମି ଓ କୁଶୱା ଜାତିର ଲୋକାମାନେ ବସବାସ କରନ୍ତି । ୬୭ ପ୍ରତିଶତ ବ୍ରାହ୍ମଣମାନେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଯୋଗୀଙ୍କୁ ବାଛିଛନ୍ତି । ଏଥିସହିତ, କେବଳ ୧୬ ପ୍ରତିଶତ ବ୍ରାହ୍ମଣମାନେ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ବୋଲି ବିବେଚନା କରିଛନ୍ତି । ଏବଂ ମାତ୍ର ୬ ପ୍ରତିଶତ ବ୍ରାହ୍ମଣମାନେ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଛନ୍ତି । ଜାଟମାନଙ୍କ ଭୋଟ ହାତେଇବା ପାଇଁ ଯୋଗୀ ଓ ଅଖିଳେଶଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି କହିଲେ କିଛି ଭୁଲ ହେବ ନାହିଁ ।

କାହିଁକିନା ଜାଟଙ୍କ ଭୋଟ ହାତେଇବା ପାଇଁ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର କରୁଥିବାବେଳେ ଅଖିଳେଶ ଯାଦବ ଜାଟ ସମ୍ପ୍ରଦାୟର ନେତାଙ୍କୁ ଟିକେଟ ଦେଇ ଭୋଟ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି । ସେପଟେ ମୁସଲମାନ ଭୋଟ ହାତେଇବା ପାଇଁ ସମାଜବାଦୀ ପାର୍ଟି ପ୍ରାୟତଃ ଅନେକ ନିର୍ବାଚନୀ ମଣ୍ଡଳୀରେ ମୁସଲମାନ ପ୍ରାର୍ଥୀ ଦେବାରେ ଲାଗିଛି । ଏହାକୁ ଦେଖିଲେ ସ୍ପଷ୍ଟ ବାରି ହେଇଯାଉଛି ଯେ ଏପରି କରି ସମାଜବାଦୀ ପାର୍ଟି ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି । ଅନ୍ୟପଟେ ରାଜନୈତିକ ଦଳମାନେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଜାତିଭିତ୍ତିକ ରାଜନୀତି କରିବାରେ ଲାଗିଛନ୍ତି । କିଏ ପଛୁଆ ଜାତିକୁ ଟାର୍ଗେଟ କରୁଛି ତ ଆଉ କିଏ ଉଚ୍ଚ ଜାତିକୁ ଟାର୍ଗେଟ କରୁଛି । ଏସବୁ ମଧ୍ୟରେ ଏଥର କ୍ଷମତାରେ କେଉଁ ରାଜନୈତିକ ଦଳ ଆସୁଛି ତାହା ଦେଖିବାର ବିଷୟ ।

Related Posts