ଟିଏମସିକୁ ଆଉ ଫେରିବି ନାହିଁ, ଅନ୍ୟ କୌଣସି ପାର୍ଟିରେ ମଧ୍ୟ ଯୋଗ ଦେବି ନାହିଁ : ଯଶୋବନ୍ତ ସିହ୍ନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ସଂପନ୍ନ ହୋଇ ସାରିଛି। ନିର୍ବାଚନରେ ପରାଜିତ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା ତୃଣମୂଳ କଂଗ୍ରେସକୁ ଆଉ ଫେରିବେ କି ନାହିଁ। ଏହି ସଂପର୍କରେ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିହ୍ନା କହିଛନ୍ତି, ଫଳାଫଳ ଘୋଷଣା ପରେ ମୁଁ ଏହି ବିଷୟରେ ଚିନ୍ତା କରିଥିଲି। କୌଣସି ପାର୍ଟିରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି।କୌଣସି ପାର୍ଟିରେ ଯୋଗ ନଦେଇ ବି ସେ ଜନତାଙ୍କ ସହ ରହିବେ ବୋଲି ସେ କହିଛନ୍ତି। ଏଥିସହ ନିଜ ଦ୍ଵାରା ଗଠିତ ରାଷ୍ଟ୍ରୀୟ ମଞ୍ଚରେ ସକ୍ରିୟ ରହିବାର ସଙ୍କେତ ମଧ୍ୟ ଦେଇଛନ୍ତି ସିହ୍ନା।

ଯଶଓ୍ଵନ୍ତ ସିହ୍ନା ଗତ ବର୍ଷ ମାର୍ଚ୍ଚରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଏଥିସହ ପାର୍ଟିର ଉପସଭାପତି ପଦରେ ରହିଥିଲେ। ଲଗାତାର ତିନି ଜଣ ବ୍ୟକ୍ତି ପ୍ରାର୍ଥୀ ହେବାକୁ ମନା କରିବା ପରେ ଶେଷରେ ମିଳିତ ବିରୋଧୀ ଯଶଓ୍ଵନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲେ।ତେବେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିହ୍ନା ତୃଣମୂଳ କଂଗ୍ରେସକୁ ଆଉ ଫେରିବିନି ବୋଲି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ସିହ୍ନା କଣ ପୁଣି ଥରେ ଟିଏମସିକୁ ଫେରିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।

ମମତାଙ୍କୁ ଧନ୍ୟବାଦ ଜଣାଇ ସିହ୍ନା କହିଛନ୍ତି ପଶ୍ଚିମବଙ୍ଗରୁ ମୋତେ ଅଧିକ ଭୋଟ୍ ମିଳିଛି। ଆପଣ ଅନ୍ୟ ରାଜ୍ୟ ଉପରେ ଧ୍ୟାନ ଦିଅନ୍ତୁ ମୁଁ ପଶ୍ଚିମବଙ୍ଗ କଥା ବୁଝି ଦେବି ବୋଲି ମମତା ମୋତେ କହିଥିଲେ। ହେଲେ ସିହ୍ନା ଜେଡିଏସ ଉପରେ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମମତା ବାନାର୍ଜୀଙ୍କ ସହ ବୈଠକ ସମୟରେ କୁମାରସ୍ଵାମୀ ଏବଂ ଦେବେଗୌଡା ଉପସ୍ଥିତ ଥିଲେ। ବିରୋଧୀଙ୍କ ସହ ମୋତେ ଭୋଟ୍ ଦେବେ ବୋଲି ଆଶ୍ଵାସନ ଦେଇଥିଲେ। ହେଲେ ଶେଷ ବେଳକୁ କାହିଁକି ଭୋଟ୍ ଦେଲେନି ତାହା ବୁଝି ହେଉନି। ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ) ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିଷ୍ପତି କୁ ନେଇ ମଧ୍ୟ ଖପ୍ପା ଅଛନ୍ତି ଯଶଓ୍ଵନ୍ତ ସିହ୍ନା।

Related Posts