
ନୂଆଦିଲ୍ଲୀ: ୩୪ ବର୍ଷ ପୁରୁଣା ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିସନ୍ ର ଶୁଣାଣି ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି।
ସୂଚନାନୁସାରେ, ୧୯୮୮ରେ ପଞ୍ଜାବରେ ଘଟିଥିଲା ରୋଡ୍ ରେଜ୍ କେସ୍। ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। ଏହି ସମୟରେ ଗୁରୁନାମ ସିଂହ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସିଦ୍ଧୁ କହିଥିଲେ। ଏହି ଘଟଣାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂହଙ୍କ ବିରୋଧରେ ପଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା।
ତେବେ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ସେ ଜେଲ ଯିବାକୁ ପ୍ରସ୍ତୁତ ଥିବା କହିଛନ୍ତି | ତେବେ ସିଦ୍ଧୁ ଜେଲ୍ ଯିବେ ନା ଏହା ବିରୋଧରେ ଅଦାଲତରେ ଆବେଦନ କରିବା ନେଇ ତାଙ୍କ ନିକଟରେ କିଛି ସୁଯୋଗ ରହିଛି। ଏନେଇ ଏବେ ସମସ୍ତଙ୍କ ମନରେ ଏପରି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ,
ସୁପ୍ରିମ କୋର୍ଟର ଆଇନଜୀବୀ ଅଶ୍ବିନୀ ଚୌବେଙ୍କ କହିବାନୁଯାୟୀ, ସିଦ୍ଧୁ ଏକ କ୍ୟୁରେଟିଭ ପିଟିସନ୍ ଦାଖଲ କରିପାରନ୍ତି। କିନ୍ତୁ ଏହି ବିକଳ୍ପର ଉପଯୋଗ କରିବା ପାଇଁ ତାଙ୍କ ପାଖରେ ସେଭଳି କୌଣସି ବଳିଷ୍ଠ ପୃଷ୍ଠଭୂମି ନାହିଁ। ଚୂଡ଼ାନ୍ତ ଦୋଷୀସାବ୍ୟସ୍ତ ମାମଲାରେ ସମୀକ୍ଷା ବା ରିଭ୍ୟୁ ଆବେଦନ ଯଦି ଖାରଜ ହୋଇଯାଏ କିମ୍ବା ରିଭ୍ୟୁ ଆବେଦନର ସୁଯୋଗ ଶେଷ ହୋଇଯାଇଥାଏ ତାହେଲେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥାଏ।
ସୁପ୍ରିମ କୋର୍ଟର ଆଇନଜୀବୀ ରାଜେଶ ଚୁଘ କୁହନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ସଂପୃକ୍ତ ରାଜ୍ୟର ପୁଲିସ ଡିଜିଙ୍କ ନିକଟକୁ ପଠାଯିବ କିମ୍ବା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ମାଧ୍ୟମରେ ସଂପୃକ୍ତ ଥାନାକୁ ପଠାଯିବ। ଏହାପରେ ତାଙ୍କୁ ଜେଲ୍ ନିଆଯିବ। ତେବେ କିଛି ଆଇନ ବିଶେଷଜ୍ଞଙ୍କ କହିବାନୁଯାୟୀ, ସିଦ୍ଧୁ ଅଦାଲତରେ ଏକ ଆବେଦନ ମଧ୍ୟ କରିପାରନ୍ତି। ସେହି ଆବେଦନରେ ସେ ପୂର୍ବରୁ ଧାର୍ଯ୍ୟ ହୋଇଥିବା କାର୍ଯ୍ୟ କିମ୍ବା ଜରୁରୀ ବ୍ୟକ୍ତିଗତ କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରି ଆତ୍ମସମର୍ପଣ କରିବା ପାଇଁ ସମୟ ମାଗି ପାରନ୍ତି।
ସୂଚନାଯୋଗ୍ୟ, ଏବେ ସିଦ୍ଧୁ ସ୍ୱାସ୍ଥ୍ୟ ଖରାପ ଥିବା କାରଣ ଦର୍ଶାଇ କୋର୍ଟଙ୍କୁ ୧ ସପ୍ତାହର ସମୟ ମାଗିଛନ୍ତି ।