ସଂସଦର ଶୀତ ଅଧିବେଶନ: ଡିସେମ୍ବର ୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ସଂସଦର ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଡିସେମ୍ବର ୬ ତାରିଖ ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ପାଇଁ ସମସ୍ତ ଦଳକୁ ନିମନ୍ତ୍ରଣ କରିଛନ୍ତି ।

ବୈଠକ ପାଇଁ ଉଭୟ ଲୋକସଭା ରାଜ୍ୟସଭାର ସମସ୍ତ ଦଳର ସଂସଦୀୟ ନେତାଙ୍କୁ ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏନେଇ ସବୁ ଦଳକୁ ଚିଠି ଲେଖି ସଂସଦୀୟ ମନ୍ତ୍ରୀ କହିଛନ୍ତି ଆଗାମୀ ଶୀତ ଅଧିବେଶନ ଡିସେମ୍ବର ୭ ତାରିଖରୁ ଆରମ୍ଭ ହେଉଛି । ଏହି ଅଧିବେଶନ ଦେଶର ବିକାଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଅଧିବେଶନରେ ସମସ୍ତ ଦଳର ସହଯୋଗ ଜରୁରୀ । ଏଥିପାଇଁ ସରକାର ବିରୋଧୀ ଦଳ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଓ ଦାବି ଆପତ୍ତିର ବିଚାର ପାଇଁ ସର୍ବଦଳୀୟ ବୈଠକରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ସର୍ବଦଳୀୟ ବୈଠକରେ ସରକାରଙ୍କ ପକ୍ଷରୁ ଅଧିବେଶନରେ ଆସିଥିବାକୁ ବିଧେୟକ ଓ ଏଜେଣ୍ଡା ସମ୍ପର୍କରେ ସୂଚନା ଦିଆଯିବ । ବିରୋଧୀ ଦଳଗୁଡିକ ମଧ୍ୟ ନିଜନିଜ ଦାବି ଆପତ୍ତି ଅଭିଯୋଗ ଉପସ୍ଥାପନା କରିବେ । ଏହାସହ ଆଲୋଚନା ପାଇଁ ସରକାରଙ୍କୁ ଅନୁରୋଧ କରିବେ ।

ସୂଚନାଯୋଗ୍ୟ ଯେ, ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ୭ ଡିସେମ୍ବରରୁ ଆରମ୍ଭ ହୋଇ ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ୨୩ ଦିନ ମଧ୍ୟରେ ସଂସଦରେ ୧୭ଟି ବୈଠକ ହେବାର ସମ୍ଭାବନା ରହିଛି ।

Related Posts