ରାଜସ୍ଥାନର ସିରୋହୀ ଜିଲ୍ଲାରେ ଅଭାବନୀୟ ଘଟଣା: କାମ କରି ପାଉଣା ମାଗିବାରୁ ଦଳିତ ଯୁବକଙ୍କୁ ପରିଶ୍ରା ପିଆଇଲେ ଓ ମାଡ ମାରିଲେ

ସିରୋହୀ: ଦଳିତ ଯୁବକଙ୍କ ସହ ଅମାନୁଷିକ ଆକ୍ରମଣ । କାମ କରି ନିଜ ପରିଶ୍ରମର ପ୍ରାପ୍ୟ ମାଗିବା ନେଇ ତାଙ୍କ ଉପରେ ଅକଥନୀୟ ନିର୍ଯାତନା ଦେଇଛନ୍ତି ଅଭିଯୁକ୍ତ । ମେକାନିକ୍‌ଙ୍କୁ ପରିଶ୍ରା ପିଆଇବା ସହିତ ଜୋତାମାଳ ପିନ୍ଧାଇ ପିଟିଲେ ଦୁର୍ବୃତ୍ତ। ଯେତେ ନେହୁରା ହେଲେ ବି ନୃଶଂସତାର ସବୁ ସୀମା ଟପିଯାଇଥିଲେ ଅଭିଯୁକ୍ତ।

ଏହି ଘଟଣା ଘଟିଛି ରାଜସ୍ଥାନର ସିରୋହୀ ଜିଲ୍ଲାରେ। ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ଏହାର ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ ହୋଇଛି। ଘଟଣାରେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ମାମଲାରେ ତଦନ୍ତ ଚାଲିଛି ବୋଲି ସିରୋହୀ ଡିଏସ୍‌ପି ଦିନେଶ କୁମାର ସୂଚନା ଦେଇଛନ୍ତି।

ସେ କହିଛନ୍ତି “ଭରତ କୁମାର(୩୮) ନାମକ ଜଣେ ବ୍ୟକ୍ତି ନଭେମ୍ବର ୨୩ ତାରିଖରେ ୩ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଭରତ ସେମାନଙ୍କ ପାଇଁ ଇଲେକ୍ଟ୍ରିକ୍‌ କାମ କରିଥିଲେ। ଯାହାର ବିଲ୍ , ୨୧,୧୦୦ ଟଙ୍କା ହୋଇଥିଲା। ହେଲେ ପୂର୍ବରୁ ତାଙ୍କୁ ମାତ୍ର ୫ ହଜାର ଟଙ୍କା ଦିଆଯାଇଥିଲା। ବାକି ଟଙ୍କା ମାଗିଲାବେଳକୁ ଅଭିଯୁକ୍ତମାନେ ତାରିଖ ଘୁଞ୍ଚାଉଥିଲେ। ନଭେମ୍ବର ୧୯ ତାରିଖ ଦିନ ଭରତ ଢାବାକୁ ଯାଇଥିଲେ ଟଙ୍କା ମାଗିବାକୁ। ଅଭିଯୁକ୍ତମାନେ ରାତିରେ ୯ ଟାରେ ଟଙ୍କା ଦେବେ ବୋଲି କହିବାରୁ ଭରତ ସେଠାରୁ ଚାଲିଯାଇଥିଲେ। ପୁଣି ରାତିର ୯.୧୦ରେ ଆସି ଟଙ୍କା ମାଗିବାରୁ ସେମାନେ ଟଙ୍କା ଦେଇନଥିଲେ। ଏହାପରେ ଥାନାରେ ମାମଲା ଦେବେ ବୋଲି ଭରତ ଧମକାଇବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।”

ଭରତଙ୍କୁ ଜୋତା ମାଳ ପିନ୍ଧାଇବା ସହ ପିଟାମରା କରି ଭିଡିଓ ରେକର୍ଡ କରିଥିଲେ। ଏହା ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ। ଦୀର୍ଘ ୫ ଘଣ୍ଟା ଧରି ଭରତଙ୍କୁ ମାଡ଼ ମାରିଥିଲେ ଦୁର୍ବୃତ୍ତ। ଭରତ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ସେମାନେ ଶୁଣିନଥିଲେ। ଏହି ମାମଲାରେ ତଦନ୍ତ ଜାରି ରହିଛି ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି

Related Posts