ଆନ୍ଦୋଳନ ପ୍ରତ୍ୟାହାର କର; ତିନି ମାସ ଭିତରେ ଦାବି ପୂରଣ ନେଇ ଉଦ୍ୟମ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦ ଦଫା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶା ଡ୍ରାଇଭର ସଂଘ । ପ୍ରତ୍ୟେକ ଜିଲ୍ଲାରୁ ହଜାର ହାଜର ସଂଖ୍ୟକ ଡ୍ରାଇଭର ଆସି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ସେମାନେ ଏକତ୍ରିତ ହୋଇଛନ୍ତି। ଏତେ ସଂଖ୍ୟକ ଡ୍ରାଇଭରଙ୍କ ସମାଗମ କାରଣରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯିବା ଆଶଙ୍କା ଦେଖାଦେଇଛି। ରସୁଲଗଡ଼, ବାଣୀବିହାର, ରାଜମହଲ , ଆଚାର‌୍ୟ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ରାସ୍ତା ଜାମ୍ ହୋଇଛି। ଏହା ମଧ୍ୟରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନଙ୍କ ସହ ସରକାର ଆଲୋଚନା କରିଥିବାର କଥା ସାମ୍ନାକୁ ଆସିଛି । ଏହା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ତେବେ ଡ୍ରାଇଭର ମହାସଂଘର ଦାବି ସଂକ୍ରାନ୍ତରେ ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏକ କମିଟି ଗଠନ କରାଯିବ। ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ। ଆଗାମୀ ତିନି ମାସ ଭିତରେ ଦାବି ପୂରଣ ନେଇ ଉଦ୍ୟମ ହେବ। ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିଶାଳ ରାଲିର ଆୟୋଜନ କରାଯାଇଛି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭରଙ୍କୁ ଦ୍ବିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ ଦାବି କରିଛି ସଂଘ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ୫୫ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି।ଏଥିସହ ଡ୍ରାଇଭର ଆବାସ ଯୋଜନାରେ ଗୃହନିର୍ମାଣ, ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବାକୁ ମଧ୍ୟ ସଂଘ ଦାବି କରିଛି।

Related Posts