ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦୀଙ୍କ ଅପିଲ ପରେ ତ୍ରିପୁରାରେ ଲାଗୁ ହେଲା ୱାର୍କ ଫ୍ରମ ହୋମ । ସବୁ ସରକାରୀ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି । ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ଶାହା। ତେବେ ସରକାର ସରକାରୀ ଖର୍ଚ୍ଚ କମାଇବା ଓ ଇନ୍ଧନ ସଞ୍ଚୟ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଧନ ସଞ୍ଚୟ ଏବଂ ଘରୁ କାମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟ କରିବା ପାଇଁ ନୂଆ ନିୟମ ଲାଗୁ କରାଯାଇଛି ।ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି ଯେ, ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡି କର୍ମଚାରୀଙ୍କ ମଧ୍ୟରୁ କେବଳ ୫୦ ପ୍ରତିଶତ କର୍ମଚାରୀ ପ୍ରତିଦିନ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ।

ବାକି ୫୦ ପ୍ରତିଶତ କର୍ମଚାରୀ ଘରୁ କାର୍ଯ୍ୟ କରିବେ । ବିଭାଗଗୁଡ଼ିକୁ ସାପ୍ତାହିକ ଡ୍ୟୁଟି ରୋଷ୍ଟର ପ୍ରସ୍ତୁତ କରିବାକୁ କୁହାଯାଇଛି, ଯାହା ଦ୍ୱାରା କର୍ମଚାରୀମାନେ ବିକଳ୍ପ ସପ୍ତାହରେ କାର୍ଯ୍ୟାଳୟ ଆସିବେ । ପ୍ରଥମ ସପ୍ତାହରେ କାର୍ଯ୍ୟାଳୟ ନିକଟରେ ରହୁଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ । ଘରୁ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସର୍ବଦା ଟେଲିଫୋନ ମାଧ୍ୟମରେ ଉପଲବ୍ଧ ରହିବେ ଏବଂ ଜରୁରୀ କାର୍ଯ୍ୟ ପାଇଁ ଆବଶ୍ୟକତା ହେଲେ କାର୍ଯ୍ୟାଳୟକୁ ଆସିବେ।