ବିଶ୍ୱକପ ବିଫଳତା; ଭାରତଠୁ ଶୋଚନୀୟ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ବିଶ୍ବକପରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିଛି । ଏନେଇ ଆଜି(ସୋମବାର) ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଘୋଷଣା କରିଛନ୍ତି ।ବିଶ୍ବକପ୍‌ରେ 7ଟି ମ୍ୟାଚ୍‌ରୁ ମାତ୍ର 2ଟି ମ୍ୟାଚ ଜିତିଛି ଶ୍ରୀଲଙ୍କା । ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଶ୍ରୀଲଙ୍କା । ବିଶ୍ବକପ ଦୌଡରୁ ବାଦ ପଡିଥିଲା ଦଳ । ଭାରତଠୁ ପରାସ୍ତ ହେବାର 2 ଦିନ ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଭାଙ୍ଗଯାଇଥିବା ନେଇ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଜୁନ ରଣତୁଙ୍ଗାଙ୍କ ଅଧକ୍ଷତାରେ ମଧ୍ୟବର୍ତ୍ତୀକାଳୀନ ବୋର୍ଡ ଗଠନ ହେବ ।

ବିଶ୍ବକପ୍‌ ଜାରି ଥିବା ସମୟରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳକୁ ଚିନ୍ତାରେ ପକାଇବା ଭଳି ଖବର ସାମ୍ନାକୁ ଆସିଛି । ବିଶ୍ବକପ୍‌ ବିଫଳତା ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରାଯାଇଛି । ଶ୍ରୀଲଙ୍ଗା କ୍ରୀଡ଼ାମନ୍ତ୍ରୀ ରୋଶନ୍‌ ରାଣାସିଂଘ ଏହି ବଡ଼ ଆକ୍ସନ ନେଇଛନ୍ତି । ବିଶ୍ବକପରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମ୍ପାଦକ ଏବଂ ବୋର୍ଡର ଅନ୍ୟ ଅଧିକାରୀ ମୋହନ ଡି’ ସିଲଭା ଶନିବାର ନିଜ ପଦକୁ ଇସ୍ତଫା ଦେଇଥିଲେ । ଏହାପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା କ୍ରିକେଟ୍‌ ବୋର୍ଡକୁ ଭାଙ୍ଗି ଦିଆଯାଇଛି । ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ରୋଶନ ରାଣାସିଂଘ ମଧ୍ୟବର୍ତ୍ତୀକାଳୀନ ବୋର୍ଡ୍‌ ଗଠନ କରିଛନ୍ତି । ଶ୍ରୀଲଙ୍କାର ପୂର୍ବତନ 1996 ବିଶ୍ବକପ୍‌ ବିଜୟୀ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ବୋର୍ଡରେ ସାତ ସଦସ୍ୟଙ୍କ ମଧ୍ୟରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିଛନ୍ତି ।

ପ୍ରକାଶ ଥାଉ କି, ଚଳିତ ବିଶ୍ବକପ୍‌ରେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଲିଗ୍‌ ପର୍ଯ୍ୟାୟରେ ଦଳ ଏଯାବତ 7ଟି ମ୍ୟାଚ୍‌ ଖେଳି ମାତ୍ର 2ଟିରେ ବିଜୟ ହାସଲ କରିଥିବାବେଳେ 5ଟି ମ୍ୟାଚ୍‌ ହାରିଛି । ଗତ ନଭେମ୍ବର 2 ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ବିପକ୍ଷରେ ଖେଳିଥିଲା ଦଳ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ବେଶି ସମୟ ତିଷ୍ଠି ପାରି ନଥିଲା ସିଂହଳୀବାହିନୀ । 358ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ସିଂହଳୀ ଦଳ ମାତ୍ର 55ରନରେ ଅଲଆଉଟ ହୋଇଥିଲା । 302ରନରେ ବିଜୟ ହାସଲ କରିଥିଲା ଭାରତ । ଏହି ଶୋଚନୀୟ ପରାଜୟର 2 ଦିନ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିଛି । ଏସିଆ କପ୍‌ ଫାଇନାଲରେ ମଧ୍ୟ ଶ୍ରୀଲଙ୍କାକୁ 50 ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତ ।

Related Posts