ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା: ୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା । ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଲା । ମହିଳା ସାମ୍ବାଦିକଙ୍କୁ ମାଡ଼ ମାମଲାରେ ଗିରଫ ହୋଇଛନ୍ତି ଟୁଟୁ । ୧୬୪ରେ ବୟାନ ରେକର୍ଡ କରାଯାଇନଥିବାରୁ ଶୁଣାଣି ଘୁଞ୍ଚିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଶୁକ୍ରବାର ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକା ଯୋଗଦେଇଥିଲେ । ଏହି ସମୟରେ ସେ ହଲ୍ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଟୁଟୁ ନାୟକ ତାଙ୍କୁ ମାଡ ମାରିଥିବା ନେଇ ସାମ୍ବାଦିକା ଜଣକ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ସିସିଟିଭି ଫୁଟେଜ୍ ଚେକ୍ କରି ତଦନ୍ତ କରିଥିଲା ।

ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା ।

ଟୁଟୁ ନାୟକଙ୍କ ବିରୋଧରେ ଦଫା ୩୫୪ (ମହିଳାଙ୍କୁ ଅସଦାଚରଣ), ୩୪୧ (ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶ୍ଳୀଳ ଭାଷାରେ ଗାଳି) ଆଦି ଲଗାଯାଇଛି ।

ସୂଚନା ଯୋଗ୍ୟ, ପ୍ରିମିୟର ଶୋ’ ଚାଲିଥିବା ବେଳେ ଅଭିନେତାଙ୍କ ବାଇଟ୍‌ ନେବା ପାଇଁ ମହିଳା ସାମ୍ବାଦିକ ଜଣକ ହଲ୍ ପ୍ରବେଶ ପଥରେ ଠିଆ ହୋଇଥିଲେ । ସେତେବେଳେ ଟୁଟୁ ନାୟକ ପଛ ପଟୁ ଆସି ମହିଳା ସାମ୍ବାଦିକଙ୍କୁ ଥାପୁଡାଇ ଦେଇଥିଲେ । ଆଉ ତାଙ୍କ ବୁମ୍ ତଳେ ପଡିଯାଇଥିଲା । ପରେ ଟୁଟୁ ବୁମ୍ ନଉଠାଇ ଓଲଟା ତାଙ୍କ ଗାଲରେ ଚାପୁଡା ମାରି ସେଠାରୁ ପଳାଇ ଯାଇଥିଲେ । ଏସବୁ ଚିତ୍ର ସିସିଟିଭିରୁ ଦେଖିବାକୁ ମିଳିଥିଲା । ଏହାପରେ ଟୁଟୁଙ୍କୁ ପୋଲିସ ଗିରଫ କରିଥିଲା ।

Related Posts